ନିମନ୍ତ୍ରଣପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନଥିବାକୁ ନେଇ ବିବାଦ
ବିଜେପି-ବିଜେଡି ତୁତୁ ମେଁ ମେଁ...
ବଲାଙ୍ଗିର : ନିମନ୍ତ୍ରଣ ପତ୍ରରେ ନାହିଁ ନଡ୍ଡାଙ୍କ ନାଁ। ଅାସନ୍ତାକାଲି ଉଦ୍ଘାଟନ ହେବାକୁ ଯାଉଥିବା ବଲାଙ୍ଗିରର ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ଉଦ୍ଘାଟନ ଉତ୍ସବ ପାଇଁ ଛପା ଯାଇଥିବା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଅଛି, ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନ ରହିବାକୁ ନେଇ ତେଜିଛି ରାଜନୀତି।
ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିଜେପି ଅଭିଯୋଗ କରିଛି, ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଉତ୍ସବରେ ଯୋଗ ଦେବାକୁ ପୂର୍ବରୁ ସମ୍ମତି ଜଣାଇଥିଲେ ବି ତାଙ୍କ ନାଁ ବାଦ୍ ପଡିବା ଅତ୍ୟନ୍ତ ଅସୌଜନ୍ୟ। ସେପଟେ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ନିମନ୍ତ୍ରଣପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କ ନାଁ କାହିଁକି ନାହିଁ, ସେ କଥାକୁ ଗୋଳାଇଛନ୍ତି।
ଦୀର୍ଘ ୧୯ ବର୍ଷ ଧରି ରାଜନୀତିର ପଶାପାଲିରେ ଗଡି ଅାସିଛି ବଲାଙ୍ଗିର ମେଡିକାଲ କଲେଜ। ୧୯୯୯ ମସିହାରେ ନବଗଠିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଏଥିପାଇଁ ପ୍ରଥମେ ପ୍ରସ୍ତାବ ପାରିତ ହୋଇଥିଲା। ସେତେବେଳେ ପରିଷଦ ଅଧ୍ୟକ୍ଷ ଥିଲେ ବର୍ତ୍ତମାନର ବିରୋଧୀଦଳ ନେତା ନରସିଂହ ମିଶ୍ର। ମେଡିକାଲ କଲେଜର ଶୁଭ ଦେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ।
ହେଲେ ୨୦୦୦ ମସିହାରେ ବଦଳିଗଲା ସରକାର। ରାଜନୈତିକ ମତଭେଦକୁ ନେଇ ନିର୍ମାଣ କାମ ବନ୍ଦ ରହିବା ପରେ ୨୦୦୪ରେ ପୁଣି ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାରି ଚାରି ଥର ବିଭିନ୍ନ କମ୍ପାନୀଙ୍କ ସହ କଲେଜ ପ୍ରତିଷ୍ଠା ନେଇ ହୋଇଥିବା ଚୁକ୍ତି ବାତିଲ ହୋଇଗଲା। ୨୦୧୩ରେ କେନ୍ଦ୍ର ସରକାର ଓଡ଼ିଶାରେ ୪ଟି ମେଡିକାଲ କଲେଜ ସ୍ଥାପନ ନିଷ୍ପତ୍ତି ନେବା ପରେ ୨୦୧୩ରେ ପୁଣି ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଅାଉ ୨୦୧୭ରେ ନାଁ ଲେଖା ପାଇଁ ନିଷ୍ପତ୍ତି ପରେ ଚଳିତ ଶିକ୍ଷାବର୍ଷ ପାଇଁ କେନ୍ଦ୍ର କୋଟାରେ ୧୫ ଓ ରାଜ୍ୟ କୋଟାରେ ୮୫ଜଣ, ଏମିତି ମୋଟ୍ ୧୦୦ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି।
ସେପଟେ ଅାସନ୍ତା ୩ ତାରିଖରେ ବାଲେଶ୍ୱର ମେଡିକାଲ କଲେଜର ଉଦ୍ଘାଟନୀ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ସେଠାରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେବାକୁ ଗତ ୨୫ ତାରିଖ ବାଲେଶ୍ୱର ଗସ୍ତବେଳେ ସୂଚନା ଦେଇଥିଲେ।