ଛବି ସୁଧାରିବାକୁ ସିନେମା ସାହାରା

ଆସିଲା ରାହୁଲଙ୍କ ବାୟୋପିକ୍ ‘ମାଇଁ ନେମ୍ ଇଜ୍ ରାଗା’ର ଟ୍ରେଲର

ଭୁବନେଶ୍ୱର  :  ଭୋଟରଙ୍କ ଆଗରେ ଛବି ସୁଧାରିବାକୁ ବାୟୋପିକ୍ ସାହାରା। ନିର୍ବାଚନୀ ବର୍ଷରେ ଚର୍ଚ୍ଚିତ ନେତାଙ୍କର ଗୋଟିଏ ପରେ ଗୋଟିଏ ବାୟୋପିକ୍ ଫିଲ୍ମକୁ ନେଇ ଏବେ ଏଭଳି ଚର୍ଚ୍ଚା। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍‌ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ହଲ୍‌ରୁ ନଯାଉଣୁ ଏବେ ପରଦାକୁ ଆସିବାକୁ ତୟାର ହେଲାଣି ରାହୁଲ ଗାନ୍ଧିଙ୍କ ବାୟୋପିକ୍ ‘ମାଇଁ ନେମ୍ ଇଜ୍ ରାଗା’ ।

ରାଗା, ରାହୁଲ ଗାନ୍ଧି। ଶୈଶବର ନିରୀହ ଆଖିରେ ଯିଏ ଦେଖିଛି ନିମିଷକରେ ପ୍ରିୟ ଜେଜେମାଆ ଓ କୈଶୋରରେ ବାପାଙ୍କୁ ଦେଶ ପାଇଁ ସହିଦ ହେବାର କରୁଣ ଚିତ୍ର।

ରାଜନୀତି ଗଣିତର ଗୋଲକ ଧନ୍ଦାର ଯିଏ ଫେଲ୍ ଭିତରେ ବି ଚାଖିଛି ସଫଳତାର ସ୍ୱାଦ। ସେହି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବାୟୋପିକ୍‌କୁ ନେଇ ଆସୁଛି ବଲିଉଡ଼ ମୁଭି ‘ମାଇଁନେମ୍ ଇଜ୍ ରାଗା’। ଟ୍ରେଲ୍‌ରରେ ରାହୁଲଙ୍କ ଚରିତ୍ରକୁ ବେଶ୍ ପଜିଟିଭ୍ ଭାବେ ପ୍ରେଜେଣ୍ଟ କରାଯାଇଛି।

କିଛି ଦିନ ତଳେ ରିଲିଜ୍ ହୋଇଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଜୀବନୀ ଉପରେ ଫିଲ୍ମ  ‘ଦ ଆକ୍‌ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ । ଯେଉଁଥିରେ ଦେଖିବାକୁ ମିଳିଥିଲା ସୋନିଆ ଓ ରାହୁଲଙ୍କ ସମ୍ପର୍କରେ କିଛି ନେଗେଟିଭ୍ ସିକ୍ୱେନ୍ସ। ଚର୍ଚ୍ଚା ହେଉଛି, ସେ ଛବି ସୁଧାରିବା ଉଦ୍ଦେଶ୍ୟରେ ରାଗା ନିର୍ମାଣ କରାଯାଇନି ତ।

ସେପଟେ ରାହୁଲଙ୍କୁ କାଉଣ୍ଟର ଲାଗି ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବି ବାୟୋପିକ୍। ଉମଙ୍ଗ କୁମାର ନିର୍ଦ୍ଦେଶିତ ଏ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇସାରିଛି। ଯେଉଁଥିରେ ବିବେକ ଓବରୟ ମୋଦିଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

କୁହାଯାଉଛି ବାୟୋପିକ୍ ସିନେମା କେବଳ ଏକ ବାହାନା। ନିର୍ବାଚନ ରଣଭୂମିରେ ନିଜର ପଜିଟିଭ୍ ଓ ପ୍ରତିପକ୍ଷଙ୍କ ନେଗେଟିଭ୍ ଛବିକୁ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ରାଜନୈତିକ ନେତା ଓ ଦଳମାନେ ଆପଣାଇଛନ୍ତି ଏ ବାଟ। ଯେଉଁ ଧାରାରେ ବହୁ ଛୋଟ ବଡ଼ ଆଞ୍ଚଳିକ ଦଳ ବି ସାମିଲ ହେଲେଣି। ମହାରାଷ୍ଟ୍ର ରାଜନୀତିରେ ଦବ୍‌ଦବା ରହିଥିବା ଶିବସେନାର ପ୍ରତିଷ୍ଠାତା ବାଲା ଠାକ୍‌ରେଙ୍କ ଜୀବନୀ ଉପରେ ବି ଆସୁଛି ଫିଲ୍ମ ‘ଠାକ୍‌ରେ’।

ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କ ଜୀବନ କାହାଣୀକୁ ବି ନେଇ ଆସୁଛି ଚଳଚିତ୍ର ‘କଳିଙ୍ଗପୁତ୍ର’। ସେପଟେ ‘ନିମ୍‌କି’ ନାମକ ଫିଲ୍ମ ଜରିଆରେ ନବୀନ ସରକାରଙ୍କ ଯୋଜନାର ସୁଫଳକୁ ପରଦା ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ବି ହୋଇଛି ପ୍ରୟାସ।

POKରେ ଭାରତୀୟ ସେନାର ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ନିର୍ମିତ ଚଳଚିତ୍ର ଉରି, ଯଦିଓ କୌଣସି ବାୟୋପିକ୍ ନୁହେଁ, ତଥାପି ଏହି ଫିଲ୍ମରେ ପାକିସ୍ତାନ ବିରୋଧରେ ମୋଦି ସରକାରଙ୍କ ଦୃଢ଼ ପଦକ୍ଷେପକୁ ଚିତ୍ରିତ କରାଯାଇଛି, ଯାହାକୁ ଦେଶବ୍ୟାପି ବିଜେପି ନେତାମାନେ ହଲ୍‌କୁ ଦେଖିବାକୁ ଯାଇଥିଲେ। ଏପରିକି ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ବି ବିରୋଧୀଙ୍କୁ ଫିଲ୍ମ ବିଷୟରେ ଦୁଇ ପଦ ଶୁଣାଇ ଜୋସ୍ ଭରିଦେଇଥିଲେ କାମଚଳା ଅର୍ଥମନ୍ତ୍ରୀ ଗୋଏଲ୍।

You might also like