ରାଜନୀତି ହେଉଛି ଲୋକ ସେବାର ବହୁତ ବଡ଼ ମାଧ୍ୟମ: ଅପରାଜିତା
ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ଏହି ସମୟରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ।
ବିଜେପିରେ ସାମିଲ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଦଳର ବିଚାରଧାରା, ବିକାଶମୂଳକ ଆଭିମୁଖ୍ୟ ଓ ନେତାଙ୍କୁ ଦେଖି ସେ ବିଜେପିରେ ଯୋଗ ଦେଇଛନ୍ତି। ବହୁ ଭାବିଚିନ୍ତି, ବହୁ ଲୋକଙ୍କ ସହିତ ଆଲୋଚନା କରି ଏପରିକି ୩ଟି ବହି ପଢ଼ିବା ପରେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ।
ଆଇଏଏସ୍ ଚାକିରି ଆହୁରି ୧୧ ବର୍ଷ ବାକି ଥିବା ବେଳେ ଲୋକଙ୍କୁ ସେବା କରିବାର ବଡ଼ ମଞ୍ଚର ସୁଯୋଗ ମିଳିବ ବୋଲି ସେ ଆଶା କରିଛନ୍ତି। କାରଣ ସରକାରୀ ଚାକିରିରେ ଥିବା ବେଳେ ଜନତାଙ୍କ ସେବାର ସୁଯୋଗ ସୀମିତ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଏହା ସହିତ ବିଜେପିରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।