ଅାସନ୍ତା ୨୯ରୁ ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି

କଣ ପକ୍ଷ ରଖିବେ, ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ବୈଠକ ପାଇଁ ତାରିଖ ଧାର୍ଯ୍ୟ ହେଲାଣି, କିନ୍ତୁ ରାଜ୍ୟକୁ ମିଳିନି ଟର୍ମସ ଅଫ୍ ରେଫରେନ୍‌ସ ବା ଟିଓଅାର। ତେଣୁ ଟ୍ରିବ୍ୟୁନାଲରେ ଯୁକ୍ତି ଉପସ୍ଥାପନ କରିବା ରାଜ୍ୟ ପାଇଁ ବଡ଼ ସମସ୍ୟା ହୋଇଛି। ତେବେ ପକ୍ଷ ରଖିବା ପାଇଁ ପୁରା ପ୍ରସ୍ତୁତ ହୋଇଛି ରାଜ୍ୟ ଜଳ ସଂପଦ ବିଭାଗ।

ସୂଚନା ଅନୁସାରେ, ପ୍ରଥମତଃ ଅଣମୈସୁମୀରେ ହୀରାକୁଦକୁ କମିଥିବା ଜଳପ୍ରବାହର ତଥ୍ୟ ରଖିବ ବିଭାଗ। ବିଗତ କିଛି ବର୍ଷରେ ହୀରାକୁଦକୁ କେତେ ପାଣି ଅାସୁଥିଲା ଓ ଛତିଶଗଡ ବ୍ୟାରେଜ ନିର୍ମାଣ ପରେ କେତେ ପାଣି ଅାସୁଛି ତାର ତୁଳନାତ୍ମକ ଚିତ୍ର ଦେବ ଜଳସଂପଦ ବିଭାଗ।

ଛତିଶଗଡ଼ର ବେଅାଇନ ନିର୍ମାଣ ଓ ଶିଳ୍ପସଂସ୍ଥାକୁ ଜଳ ଦେବା ନେଇ ଓଡ଼ିଶା ଅଗୋଚରରେ ହୋଇଥିବା ଚୁକ୍ତିର ତଥ୍ୟ ବି ଉପସ୍ଥାପନ କରିବେ ରାଜ୍ୟ ସରକାର। ବନ୍ୟା ଜଳ ପରିଚାଳନା ନେଇ ଛତିଶଗଡ଼ ଯୋଗୁ ଓଡିଶା ଭୋଗୁଥିବା ସମସ୍ୟାର ତଥ୍ୟ ରଖାଯିବ। କ୍ରମାଗତ ଜଳ ପ୍ରବାହ କମିବା ଫଳରେ ଜୈବ ବିବିଧତା ଓ ପରିବେଶ ଉପରେ ଏହାର କୁପ୍ରଭାବର ପ୍ରାମାଣିକ ତଥ୍ୟ ବି ରଖାଯିବ। ତେବେ ଶୁଣାଣୀ ବେଳେ ନିଜେ ଜଳ ସଂପଦ ସଚିବ ଉପସ୍ଥିତ ରହିବେ ନା ଓକିଲ ପଠାଇବେ, ସେ ନେଇ ସ୍ଥିର ହୋଇନି। କିନ୍ତୁ  ଟ୍ରିବ୍ୟୁନାଲ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅଫିସ ଖୋଲାଯିବ ଓ ରାଜ୍ୟରେ ଥିବା ସେଲକୁ ଅଧିକ ସକ୍ରିୟ କରାଯିବ ବୋଲି ଜଣାପଡ଼ିଛି।

ଏପଟେ ବିନା ସୂଚନାରେ ଛତିଶଗଡ଼ ପାଣି ଛାଡ଼ିବାକୁ ନେଇ ରାଜନୈତିକ ଅାରୋପ ପ୍ରତ୍ୟାରୋପ ପର୍ବ ସରୁନି। ଅାଜି ବିଜେଡି ନେତାଙ୍କୁ କଟାକ୍ଷ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କିଛି ବନ୍ଧୁ ଉତ୍ତେଜନା ଭୟ ଓ ଡର ସୃଷ୍ଟି କରୁଛନ୍ତି। ଏପଟେ ବିଜେଡି ପାଲଟା ଅାକ୍ରମଣ କରି କହିଛି, ଯେଉଁମାନେ ଏଠି କହୁଛନ୍ତି ଛତିଶଗଡ଼ ଯାଇ ଚିତ୍କାର କରନ୍ତୁ । ଦୁହିଁଙ୍କ କଳି ଭିତରେ ଉଭୟଙ୍କୁ ନିଶାନା କରିଛି କଂଗ୍ରେସ।

ମହାନଦୀକୁ ନେଇ ଓଡିଶା-ଛତିଶଗଡ଼ ଭିତରେ ବିବାଦ ବଢୁଥିବା ବେଳେ ଟ୍ରିବ୍ୟୁନାଲରେ ନିଜ ସପକ୍ଷରେ କଣ ଯୁକ୍ତି ରଖୁଛନ୍ତି ଓଡ଼ିଶା ସରକାର, ତା ଉପରେ ନଜର।

You might also like