ନୂଅା ବିଦ୍ୟୁତ ପ୍ରକଳ୍ପକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା

ଭୁବନେଶ୍ୱର: ଦୋ ଛକିରେ ପ୍ରସ୍ତାବିତ ଏନଟିପିସର ତାଳଚେର ଥର୍ମାଲ ପାଓ୍ୱାର ଷ୍ଟେଜ-୩ ପ୍ରକଳ୍ପ। କେନ୍ଦ୍ର ସରକାର ଚାହୁଁଛନ୍ତି ସେପ୍ଟମ୍ବର ୨୨ରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେଉ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଅାର. କେ ସିଂ। କିନ୍ତୁ ଭିତ୍ତପ୍ରସ୍ତର ସ୍ଥାପନକୁ ନେଇ ରହିଛି କେଁ, କାରଣ ଏପର୍ଯ୍ୟନ୍ତ ୯ ହଜାର ୭୮୫ କୋଟିର ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେବଲ କମିଟି ଅନୁମତି ଦେଇନି।

ତେଣୁ କେନ୍ଦ୍ର ଶକ୍ତି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରର ପରିବେଶ ମଞ୍ଜୁରୀ ମିଳିଥିବାରୁ ରାଜ୍ୟ ତୁରନ୍ତ ଏଚଏଲସି ଅନୁମୋଦନ ଦେଉ। ଗତ ସପ୍ତାହରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅାଜି କହିଛନ୍ତି, ସରକାର ପ୍ରକଳ୍ପ ନେଇ ବାଧା ସୃଷ୍ଟି ନ କରନ୍ତୁ। ଏ ନେଇ ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି ଧର୍ମେନ୍ଦ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କହୁଛନ୍ତି।

ତାଳଚେର ଏନଟିପିସିର ପ୍ରସ୍ତାବିତ ପ୍ରକଳ୍ପରୁ ଉତ୍ପାଦନ ହେବାକୁ ଥିବା ବିଦ୍ୟୁତ ୟୁନିଟ୍ ପିଛା ୩ ଟଙ୍କା ୪୦ । ହେଲେ ଏହା ରାଜ୍ୟ ପାଇଁ ମହଙ୍ଗା ହେବ ବୋଲି ଦର୍ଶାଇ ଗତ ୧୨ ତାରିଖରେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ଶକ୍ତି ମନ୍ତ୍ରୀ। ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ୨୦୧୦ର  ରିପୋର୍ଟ ଅନୁସାରେ ଦର ୨ ଟଙ୍କା ୬୮ ଥିଲା। କିନ୍ତୁ ଏବେ କୋଇଲାର ବର୍ଦ୍ଧିତ ଦର ସହ  ପ୍ରଦୂଷଣକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେଉଥବାରୁ ୟୁନିଟି ପିଛା ଦର ୩ ଟଙ୍କା ୪୦ ପଡିବ। ଏନ୍‌ଟିପିସିର ବାରାରେ ଥିବା ପ୍ଲାଣ୍ଟରୁ ଓଡ଼ିଶାକୁ ମିଳୁଥିବା ବିଜୁଳି ୟୁନିଟ୍ ପିଛା ୫ ଟଙ୍କା ପଡୁଥିବାରୁ ତା ବଦଳରେ ତାଳଚେର ଓ କଣିହାରୁ ଓଡିଶାକୁ ବିଜୁଳି ଦେବାକୁ ରାଜ୍ୟ ଅନୁରୋଧ କରିଥିଲା। ତେବେ କେନ୍ଦ୍ର ଶକ୍ତିମନ୍ତ୍ରୀ ଲେଖିଛନ୍ତି ବର୍ତ୍ତମାନ ଏହା ସମ୍ଭବ ନୁହେଁ । କେନ୍ଦ୍ର-ରାଜ୍ୟର ଏ ଟଣା ଓଟରା ଭିତରେ କଂଗ୍ରେସ କହିଛି ଏନଟିପିସିର ଓଡିଶା ପ୍ରକଳ୍ପର ବିଜୁଳି ରାଜ୍ୟକୁ ଶସ୍ତାରେ ମିଳିବା ଉଚିତ।

ତାଳଚେର ଥର୍ମାଲ ପାଓ୍ୱାର ପ୍ଲାଣ୍ଟର ବର୍ତ୍ତମାନର କ୍ଷମତା ରହିଛି ୪୬୦ ମେଗାଓ୍ୱାଟ। ତେବେ ଏହି ପ୍ରକଳ୍ପର ଅାୟୁଷ ୨ ହଜାର ୨୧ରେ ପୁରିଯାଉଛି। ଅର୍ଥାତ ଏହା ପରେ ଏଥିରୁ ବିଜୁଳି ଉତ୍ପାଦନ ହୋଇପାରିବ ନାହିଁ। ତେଣୁ ଏହି ପ୍ରକଳ୍ପକୁ ୧୩ଶହ ୨୦ ମେଗାଓ୍ୱାଟ  କ୍ଷମତାର ନୂଅା ପ୍ରକଳ୍ପର ରୂପ ଦେଇ କାମ ଅାରମ୍ଭ କରିବାକୁ ଚାହୁଁଛି ଏନଟିପିସି।

You might also like