ସର୍ଭେ ରେଜଲ୍ଟକୁ ନେଇ ରାଜନୈତିକ ବୟାନବାଜି

ଭୁବନେଶ୍ୱର: ଓଡିଶାରେ ସବୁଠାରୁ ଅଧିକ ପ୍ରିୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏଏନ୍ଏସ୍ ସି-ଭୋଟର ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି ଓଡିଶାବାସୀ। ପୁରା ଦେଶରେ ରାଜ୍ୟ ଓ୍ୱାରୀ ହୋଇଥିବା ସର୍ଭେରେ ୮୪.୩୫ ପ୍ରତିଶତ ଓଡ଼ିଶାବାସୀ ମୋଦିଙ୍କ ପ୍ରଦର୍ଶନରେ ଅଧିକ ସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ କାମରେ ୮୩.୧୨ ପ୍ରତିଶତ ଓଡ଼ିଶାବାସୀ ସନ୍ତୁଷ୍ଟ ଅଛନ୍ତି। ଯାହାକି ସାରା ଦେଶରେ ସର୍ବାଧିକ କରୋନା ମୁକାବିଲାରେ ସହାୟତା, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ, ଅମ୍ପନ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାଳରେ କେନ୍ଦ୍ର ସରକାରଙ୍କ ସହଯୋଗ ସହ ଲୁକ୍ ଇଷ୍ଟ ମିଶନ୍‌ରେ ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ଭଳି ନିଷ୍ପତ୍ତି ମୋଦିଙ୍କୁ ଅଧିକ ଲୋକପ୍ରିୟ କରାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସବୁ ଘରକୁ ସ୍ୱଚ୍ଛ ପାଣି ଦିଆଯାଉଛି। ଚାଷୀଙ୍କ ଆୟ ଦ୍ୱିଗୁଣିତ ହେଉ। କରୋନା କାଳରେ ପରିଚାଳନା, ତଥା ବିଶେଷ କରି ଗରିବଙ୍କୁ ମାଗଣା ୫ କେଜି ଚାଉଳ ଯୋଗାଇ ଦିଆଗଲା।  ଭାରତବର୍ଷର ସବୁ ରାଜ୍ୟରୁ ନରେନ୍ଦ୍ର ମୋଦିଙ୍କୁ ଅଧିକ ପସନ୍ଦ କରୁଛନ୍ତି। 
-ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା

ସେପଟେ ସାରା ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଟପ୍‌ରେ ଅଛନ୍ତି ନବୀନ। ଆଇଏଏନ୍ଏସ୍- ସି ଭୋଟର୍ କରିଥିବା ସର୍ଭେରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୭୮.୮୧ ପ୍ରତିଶତ ଓଡିଆ ଭଲ ପାଆନ୍ତି। ସଫଳତାର ସହ କୋଭିଡ ପରିଚାଳନା, ମହିଳା ସଶକ୍ତୀକରଣ ଲାଗି ଏସ୍ଏଚ୍‌ଜି ଗଠନ, ଶ୍ରୀମନ୍ଦିର ସହ ଐତିହ୍ୟ ବିକାଶ ଭଳି ଲୋକାଭିମୁଖୀ ଯୋଜନା ନବୀନଙ୍କ ପାଇଁ ପ୍ଲସ୍ ପଏଣ୍ଟ ସାଜିଥିବା ଏହି ସର୍ଭେ ରେଜଲ୍ଟରେ ଦର୍ଶାଯାଇଛି। ଏହାକୁ ନେଇ ଦେଖାଦେଇଛି ରାଜନୈତିକ ବୟାନବାଜି।

 ମୁଖ୍ୟମନ୍ତ୍ରୀ ନବୀନ  ନିଷ୍ଠାର ସହ ଓଡ଼ିଶାର ପ୍ରଗତି ପାଇଁ କାର୍ଯ୍ୟ କରିଚାଲିଛନ୍ତି। ଭାରତବର୍ଷରେ ଓଡ଼ିଶାକୁ ୧ନଂ ରାଜ୍ୟ ଭାବେ କରିବାର ଯେଉଁ ପ୍ରୟାସ, ଏହାର ପ୍ରତିଫଳନ ହୋଇଛି। କେନ୍ଦ୍ର ଏମିତି କଣ ସ୍ୱତନ୍ତ୍ର ଭାବେ ଓଡ଼ିଶାକୁ କଣ ଦେଇଛି, ଏବେ ସେ କହିବେ ଆମେ ଦେଲୁ।   
-ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଆଇନ୍‌ ଶୃଙ୍ଖଳା ନାହିଁ। ବିକାଶ ନାହିଁ। ୧ ଲକ୍ଷ ୩୫ ହଜାର କୋଟି ଲୋନ୍। ନିଯୁକ୍ତି ନାହିଁ, ବେକାରୀ ବଢୁଛି। ସେଥିରେ ନମ୍ବର ୱାନ୍ କୁଆଡୁ ଆସିଲା। 
-ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ କାର୍ଯ୍ୟଶୈଳୀରେ ୭୭.୫୧ ପ୍ରତିଶତ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ୬୬.୮୩ ପ୍ରତିଶତ ସହ ଯଥାକ୍ରମେ ସର୍ଭେର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ତାଲିକାର ଶେଷରେ ରହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

ସମ୍ବଲପୁରରୁ ସଞ୍ଜୟ ଜେନା,ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ, ଅରିନ୍ଦମ ଦାସ ଓ ଜଗଦୀଶ ଦାସଙ୍କ ରିପୋର୍ଟ
You might also like