ଚାଷୀ ଭୋଟ ହାତେଇବାକୁ ୩ ଦଳର ପ୍ରାଣ ମୂର୍ଚ୍ଛା ଉଦ୍ୟମ

ଭୁବନେଶ୍ୱର: ଚାଷୀ ଭୋଟ୍‌କୁ ହାତେଇବା ପାଇଁ ୩ ଦଳ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛନ୍ତି। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରୁଥିବା ବେଳେ କଂଗ୍ରେସ ଚାଷୀ ଋଣ ଛାଡ଼ରୁ ଆରମ୍ଭ କରି ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଛି। ରାହୁଲ ଗାନ୍ଧି କୃଷିଋଣ ଛାଡ଼ ସହ ଧାନ ଏମ୍ଏସ୍ପି ୨୬ ଶହ ଟଙ୍କା ଦେବାକୁ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବରିରରେ ହଲଚଲ ଆଣିଛନ୍ତି।

ଓଡ଼ିଶାର ଚାଷୀଙ୍କ ପାଇଁ ରାହୁଲ ଯେଭଳି ଲୋଭନୀୟ ପ୍ରତିଶ୍ରୁତି ଦେଲେ ଠିକ୍‌ ସେହିଭଳି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମଧ୍ୟ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା କଂଗ୍ରେସ୍। ତେଣୁ ଏଠି ବି ଏ ଫଣ୍ଡା କାମ କରିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ନେତା। ଇସ୍ତାହାର ପ୍ରସ୍ତୁତ ପୂର୍ବରୁ ଦଳ ଚାଷୀପାଇଁ ଅନେକ ପ୍ରତିଶ୍ରୁତି ଘୋଷଣା କରିସାରିଲାଣି। ଯେଉଁଥିରେ ଧାନରେ ୨୬ ଶହ ଟଙ୍କାର ଏମ୍‌ଏସ୍‌ପି ଦେବା କଥା ବି ଅଛି।

ତେବେ ଏତିକିରେ ସରିନି କଂଗ୍ରେସର ଚାଷୀ କାର୍ଡ। ଆଉ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇଁ ଲୋକଙ୍କ ମତନେବା ପାଇଁ ନେତା ଏବେ ବୁଲୁଛନ୍ତି ଜିଲ୍ଲାର ଠୁ ଜିଲ୍ଲା। ଏହି କ୍ରମରେ ପିସିସି ସଭାପତି ଆଜି ବାଲେଶ୍ୱର ବସଷ୍ଟାଣ୍ଡରେ ସାଧାରଣ ଲୋକଙ୍କ ମତ ନେଇଛନ୍ତି।  ଜନ ଇସ୍ତାହାର ପ୍ରସ୍ତୁତ ପାଇଁ ସାଧାରଣ ସଭା କରି ଲୋକଙ୍କ ମତ ବି ନେଇଛି ଦଳ

ଅନ୍ୟପଟେ କୃଷିରୁଣ ଛାଡ଼ ପାଇଁ ପୂର୍ବରୁ ଘୋଷଣା କରିଥିବା ବିଜେପି କିନ୍ତୁ ଏବେ ଦୋଛକିରେ ପଡ଼ିଯାଇଛି। କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ସପକ୍ଷରେ ନାହାଁନ୍ତି। ଏପରି ସ୍ଥିତିରେ ରାଜ୍ୟ ବିଜେପି ନିଜ ଇସ୍ତାହାରରେ ଋଣ ଛାଡ଼ର ପ୍ରତିଶ୍ରୁତି ରଖିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ରାଜ୍ୟ ପିଜେପି।

ଆଜି ବସିଥିବା ବିଜେପିର ଇସ୍ତାହାର କମିଟିର ଦ୍ୱିତୀୟ ବୈଠକରେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ମାଧ୍ୟମରେ ଲୋକଙ୍କ ମତ ବି ନିଆଯାଉଛି। କେନ୍ଦ୍ରୀୟ ନେତୃତ୍ୱ ନ ଚାହିଁଲେ କୃଷିଋଣ ଛାଡ଼ ନେଇ ରାଜ୍ୟ ବିଜେପି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କହିଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ।

ସେପଟେ ଲଗାତର ୪ ପାଳି ସରକାରରେ ରହିବା ପରେ ଏଥର ବି ଚାଷୀ ଭୋଟ୍ ହାତେଇବା ପାଇଁ ବିଜେଡି ନିର୍ବାଚନର ତିନିମାସ ପୂର୍ବରୁ କାଳିଆ ଯୋଜନା କରିଛି ବୋଲି କୁହାଯାଉଛି। ଯଦିଓ ଦଳ କୃଷି ଋଣ ଛାଡ଼ ସପକ୍ଷରେ ନାହିଁ, ତଥାପି କାଳିଆ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ଟଙ୍କା ବାଣ୍ଟି ଦଳ ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ପରି ପ୍ରମୁଖ ଦାବିରେ ରାଜ୍ୟରେ ଚାଷୀ ସଂଗଠନ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏହା ଭିତରେ ଚାଷୀଙ୍କୁ ଖୁସି କରିବା ପାଇଁ ସରକାରୀ ଦଳ ଦିଲ୍ଲୀରେ  ପ୍ରତିବାଦ ସଭା କରିଛି। ତଥାପି ଚାଷୀ ଅସନ୍ତୋଷ ଥମିନି। ଏବେ ପ୍ରଶ୍ନ, ଚାଷୀଙ୍କ ଅସନ୍ତୋଷ ପାଇଁ ହିନ୍ଦୀ ହାର୍ଟଲାଣ୍ଡରେ ବିଜେପି ଯେଉଁ ଦଶା ଭୋଗିଲା ଏଠି ତାର ପୁନରାବୃତ୍ତି ହେବନି ତ?

You might also like