ଅାଗୁଅା ନିର୍ବାଚନ ଅାଭାସରେ ଜୋର ଧରିଲା ପ୍ରାର୍ଥୀ ଚୟନ କସରତ

ଭୁବନେଶ୍ୱର: ପ୍ରାର୍ଥୀ ଚୟନ ଲାଗି ଆରମ୍ଭ ହୋଇଯାଇଛି ତିନି ଦଳର କସରତ। କଂଗ୍ରେସର ପିଇସି ବୈଠକ, ଗୁପ୍ତ ଭାବେ ବିଜେଡିର ଅଙ୍କକଷା, ଆଉ ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ପ୍ରାର୍ଥୀ ଚୟନରେ ବିଜେପି ବି ବ୍ୟସ୍ତ । ତିନି ଦଳ ମଧ୍ୟରୁ ପ୍ରାର୍ଥୀ ଚୟନ ନେଇ ଅଧିକ ଅଡୁଆରେ ବିଜେଡି। ଟେନସନ୍‌ରେ ଦଳୀୟ ସୁପ୍ରିମୋ, କାହାକୁ ଟିକଟ ଦିଆଯିବ, କାହା ଟିକଟ କଟାଯିବ, ଟିକଟ କଟିଲେ କିଭଳି ରିଆକ୍ସନ ହେବ ସେନେଇ ଗୁପ୍ତ ଭାବେ ଚାଲିଛି ମାନସମନ୍ଥନ। ଉଭୟ ଆଭ୍ୟନ୍ତରୀଣ ସର୍ଭେ ଓ ଦଳୀୟ ସମୀକରଣକୁ ନେଇ ହେଉଛି ହିସାବ। ଜନ ଅସନ୍ତୋଷ, ଦୁର୍ନୀତିରେ ଲିପ୍ତ, ଦୁର୍ବଳ ସଙ୍ଗଠନ ଓ ଦଳୀୟ ଟାସ୍କକୁ ଠିକ୍‌ରେ କାର୍ଯ୍ୟକାରୀ କରିନଥିବା ବିଧାୟକଙ୍କୁ ଟିକଟ ଲିଷ୍ଟରୁ ବାଦ୍ ଦିଆଯିବାର ସମ୍ଭାବନା ରହିଛି।

ତେବେ ଏସବୁ ହିସାବ-କିତାବ ବେଳେ ନେଗେଟିଭ୍ ରିପୋର୍ଟ ଥିବା ବିଧାୟକ ସଂଖ୍ୟା ବହୁ ଅଧିକ ହେଉଥିବାରୁ ଚିନ୍ତା ବଢ଼ିଛି। ଏସବୁ ଭିତରେ କିନ୍ତୁ ଯେଉଁମାନଙ୍କର ଜିତିବା ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ସେପ୍ଟେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଗ୍ରାଉଣ୍ଡକୁ ଯାଇ କାମ କରିବା ଲାଗି ଦଳ ପକ୍ଷରୁ ସଙ୍କେତ ଦେଇଦିଅାଯିବ ବୋଲି ସୂଚନା ମିଳୁଛି। ବିଜେପିରେ ବି ବର୍ଷେ ତଳୁ ପ୍ରାର୍ଥୀ ଚୟନ କସରତ ଚାଲିଛି। ତା’ ଛଡ଼ା ଅାଭ୍ୟନ୍ତରୀଣ ସର୍ଭେ ବି କରାଯାଇଛି। ଏସବୁକୁ ହିସାବକୁ ନେଇ ପ୍ରାୟ ୬୦ଟି ବିଧାନସଭା ଅାସନ ଲାଗି ଦଳ ପ୍ରାର୍ଥୀ ଚୂଡାନ୍ତ କରିସାରିଛି ବୋଲି କୁହଯାଉଛି। ତେବେ ପ୍ରାର୍ଥୀ ଚୟନବେଳେ କେଉଁଠି ଗୋଷ୍ଠୀ କନ୍ଦଳ ଓ କିଛି ନିର୍ବାଚନ ମଣ୍ଡଳୀରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀ ମିଳିବା ଚ୍ୟାଲେଂଜ ହୋଇଛି।

କଂଗ୍ରେସରେ ଗତ ୨୦ ଓ ୨୧ରେ ପିଇସି ବୈଠକ ବସି ପ୍ରାର୍ଥୀ ଚୟନ କସରତକୁ ଜୋରଦାର କରାଯାଇଛି।  ଅାସନ୍ତା ୩୧ ତାରିଖ ସୁଦ୍ଧା ୫୦ଟି ବିଧାନସଭା ଅାସନ ଲାଗି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ସ୍କ୍ରିନିଂ କମିଟିକୁ ପଠାଯିବ ଯାହାକୁ ସେଣ୍ଟ୍ରାଲ ଇଲେକସନ୍ କମିଟି ଚୂଡାନ୍ତ କରିବ। ତେବେ ଦଳରେ ଗୋଷ୍ଠୀ କନ୍ଦଳ ଓ ଅାଶାୟୀ ଅଧିକ ଥିବାରୁ ତାହା ସମସ୍ୟା ସୃଷ୍ଟି କରୁଛି। ତେବେ କାଳେ କିଛି ନେତା ଅନ୍ୟ ଦଳକୁ ଚାଲିଯିବେ ସେଥିପାଇଁ ଦଳ ଅାଗୁଅା ପ୍ରାର୍ଥୀ ଘୋଷଣା କରୁଥିବା କୁହଯାଉଛି। ସବୁଦଳର ପ୍ରାର୍ଥୀ ଚୟନ କସରତ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। କିନ୍ତୁ ପ୍ରାର୍ଥୀ ଘୋଷଣା ପରେ ସୃଷ୍ଟି ହେବାକୁ ଥିବା ଅସନ୍ତୋଷକୁ କିଭଳି ପ୍ରଶମିତ କରାଯିବ, ତା ଉପରେ ରହିଛି ନଜର।

You might also like