ହକି ବିଶ୍ୱକପ୍ ନେଇ ବିରୋଧୀଙ୍କ ଟାର୍ଗେଟ୍: ବ୍ରାଣ୍ଡ୍ ନବୀନଙ୍କୁ ପ୍ରମୋଟ୍ କରିବାକୁ ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର: ବିଶ୍ୱକପ୍ ହକି ମାଧ୍ୟମରେ ପଲିଟିକାଲ୍‌ ମାଇଲେଜ୍ ନେବାକୁ ପ୍ରୟାସ। ଏହି ଗ୍ରାଣ୍ଡ୍ ଇଭେଣ୍ଟ୍ ମାଧ୍ୟମରେ ବ୍ରାଣ୍ଡ୍‌ ନବୀନକୁ ପ୍ରମୋଟ୍ କରିବାକୁ ହୋଇଛି ଯୋଜନା। ଖାସ୍ ସେଥିପାଇଁ ଉଦ୍‌ଘାଟନୀ ଉତ୍ସବକୁ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଲୋକଙ୍କୁ ଦେଖାଇବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ।

ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ନବୀନ ନିଜର ପ୍ରଚାର ପାଇଁ ଏଭଳି କାର୍ଯ୍ୟକ୍ରମ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ଗତକାଲି ଉଦ୍‌ଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ଲାଗି ଧର୍ମଗଡ଼, ମୁନିଗୁଡ଼ା, ନାରାୟଣପାଟଣା, ନୂଆପଡ଼ା ସବୁଠି ବଡ଼ ବଡ଼ ସ୍କ୍ରିନ୍ ଲାଗିଥିଲା।

ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ପଞ୍ଚାୟତ, ଛୋଟବଡ଼ ସହର ସବୁଠି ଉଦ୍‌ଘାଟନୀ ଉତ୍ସବର ଲାଇଭ୍ ଟେଲିକାଷ୍ଟ ଦେଖିବା ପାଇଁ ହୋଇଥିବା ଏଭଳି ଆୟୋଜନକୁ ନେଇ ଏବେ ପ୍ରଶ୍ନ ଉଠିଛି। କୁହାଯାଉଛି, ନିର୍ବାଚନ ବର୍ଷରେ ପଲିଟିକାଲ୍ ମାଇଲେଜ୍ ନେବା ଓ ବ୍ରାଣ୍ଡ୍ ନବୀନର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ପିସି କାରବାର, ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଗୁଣ୍ଡାଗିରି ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କ ଭାବମୂର୍ତ୍ତିରେ ଯେଉଁ ଦାଗ ଲାଗିଛି, ହକି ବିଶ୍ୱକପ୍ ମାଧ୍ୟମରେ ତାକୁ ସୁଧାରିବାକୁ ଗାଁ ଗଣ୍ଡା ସ୍ତରରେ ଏଭଳି ଆୟୋଜନ କରାଯାଇଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ଅଭିଯୋଗ କରିଛନ୍ତି, ହକି ବିଶ୍ୱକପ୍‌କୁ ଦଳୀୟ କାର୍ଯ୍ୟକ୍ରମ ଭାବେ ବ୍ୟବହାର କରାଯାଉଛି। ହକିର ବିକାଶ ଓ ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ବିଜେଡିର ପ୍ରଚାର ଅଧିକ କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି। କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ଏଭଳି ପ୍ରଚାର କରାଯାଉଥିବା କହିଥିବା ବେଳେ ବିଜେଡି କହିଛି ଏହାକୁ ବିରୋଧୀର ଅସହିଷ୍ଣୁତା ବୋଲି କହିଛି।

ଭବ୍ୟ ଉଦ୍‌ଘାଟନୀ ଉତ୍ସବରେ ୧୬ଟି ଦେଶର କ୍ୟାପ୍‌ଟେନ୍ ଓ ୧୯୭୫ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ କୋଟି କୋଟି ଟଙ୍କା ବ୍ୟୟରେ ଆୟୋଜିତ ଏହି ସମାରୋହରେ ରାଜ୍ୟର କୌଣସି ଅନ୍ତର୍ଜାତୀୟ ଖେଳାଳି, ଖାସ୍ କରି ଯେଉଁ ଆଦିବାସୀ ଖେଳାଳି ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ପରିଚିତ କରାଇଛନ୍ତି, ସେମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ମିଳିନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହା ବଲିଉଡ୍‌ ନାଇଟ୍ ଥିଲା ନା ହକି ବିଶ୍ୱକପ୍ ଉଦ୍‌ଘାଟନୀ, ତାକୁ ନେଇ ବି ପ୍ରଶ୍ନ ଉଠିଛି।

ହକି ବିଶ୍ୱକପ୍‌କୁ ବଡ଼ ଧୁମ୍‌ଧାମରେ ଆୟୋଜନ କରି ରାଜ୍ୟ ସରକାର ବାହାବା ନେବାକୁ ପ୍ରୟାସ କରୁଛନ୍ତି।  ହେଲେ ନିଜ ରାଜ୍ୟର ଖେଳାଳିଙ୍କୁ ଉପଯୁକ୍ତ ସମ୍ମାନ ଦିଆନଯିବା ଟୁର୍ଣ୍ଣାମେଣ୍ଟ୍ ଆୟୋଜନର ଆନ୍ତରିକତା ନେଇ ପ୍ରଶ୍ନ ଛିଡ଼ା କରିଛି।

You might also like