ଆକ୍ରମଣ କରିଥିବା ବ୍ୟକ୍ତି ବିଜେଡି ସମର୍ଥକ: ଖାରବେଳ

ରାୟଗଡ଼ା: ସରକାରଙ୍କ ବିରୋଧରେ କହିଲେ ମିଳିବ ନିସ୍ତୁକ ମାଡ଼। ତୃତୀୟ ଥର ପାଇଁ ପଥପ୍ରାନ୍ତ ସଭାରେ ସରକାରଙ୍କ ସମାଲୋଚନା କଲା ବେଳେ ମାଡ଼ ଖାଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ।

ରାୟଗଡ଼ା କାଶୀପୁରରେ ସଭାରେ ଭାଷଣ ଦେବା ବେଳେ ଖାରବେଳଙ୍କୁ ଆକ୍ରମଣ କରାଯାଇଛି। ତେବେ ବିଜେଡିର ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ଖାରବେଳ। ଏହି ଘଟଣାରେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ଗିରଫ କରାଯାଇଥିବା ରାୟଗଡ଼ା ଏସ୍‌ପି କହିଛନ୍ତି।

କାଶୀପୁରରେ ପଥପ୍ରାନ୍ତ ସଭା ଚାଲିଥିବା ବେଳେ ସରକାରଙ୍କ ବିରୋଧରେ ବିଷ ଓଗାଳୁଥିଲେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ଭାଷଣକୁ ସୋସିଆଲ୍‌ ମିଡିଆରେ ଲାଇଭ୍‌ କରୁଥିଲେ ଖାରବେଳ। ଠିକ୍ ଏତିକି ବେଳେ ଆସିଥିଲେ କିଛି ଅସାମାଜିକ ଲୋକ।

ନୀଳ ଟି ସାର୍ଟ ଫିନ୍ଧିଥିବା ଜଣେ ଯୁବକଙ୍କୁ ପ୍ରଥମେ ଉତ୍କଳ ଭାରତର ଅନ୍ୟ ନେତାଙ୍କୁ ଧମକାଇଲେ। ସଭା କରିବାକୁ କେଉଁଠୁ ଅନୁମତି ଆଣିଛ ପଚାରି ମାଡ଼ ମାରିବାକୁ ବି ଧମକ ଦେଲେ। ତା’ ପରେ ଫୋନ୍‌ କରି ୪-୫ ଜଣ ଯୁବକଙ୍କୁ ଡକାଇଲେ। ଖାରବେଳଙ୍କ ପାଖକୁ ଆସି ଯୁବକ ଜଣକ ଅସଭ୍ୟ ଭାଷାରେ ଗାଳିଦେଲେ। ଆଉ ତା’ ପରେ ମାଡ଼ ମାରିଥିଲେ। ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ଏସବୁ କରାଉଛନ୍ତି ବୋଲି ଖାରବେଳ ଅଭିଯୋଗ କରିଛନ୍ତି।

ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ପ୍ରଥପ୍ରାନ୍ତ ସଭାବେଳେ ଖାରବେଳଙ୍କ ଉପରେ ଆକ୍ରମଣ ହୋଇଥିଲା। ଅକ୍ଟୋବର୍ ୨୪ ତାରିଖରେ ଆଳିରେ ସଭା କରୁଥିବା ବେଳେ ବି ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଗାଡ଼ି ଭାଙ୍ଗିବା ସହ ମାଡ଼ ବି ଖାଇଥିଲେ ଖାରବେଳ।

ସାତ ଦିନ ପରେ ପୁଣି ବାଲେଶ୍ୱରର ଖଇରାରେ ବି ପଥପ୍ରାନ୍ତ ସଭା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଦୁଇଟି ଯାକ ଘଟଣାରେ ସେ ବିଜେଡିକୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ। ହେଲେ ଆକ୍ରମଣକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ସେ ଅଭିଯୋଗ କରିଛନ୍ତି। ତେବେ ଖାରବେଳଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରିଛନ୍ତି ବିରୋଧୀ।

ଓଡ଼ିଶାରେ ଅସହିଷ୍ଣୁ ରାଜନୀତିର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। କ୍ଷମତାସୀନ ଦଳ ଓ ନେତାଙ୍କୁ ସାଧାରଣ ସଭାରେ ସମାଲୋଚନା କଲେ ତାର ପରିଣତି ଯେ ଏମିତି ଭୋଗିବାକୁ ପଡ଼ିବ ଏକଥା ଖାରବେଳଙ୍କ ଉପରେ ବାରମ୍ବାର ଆମଣରୁ ସ୍ପଷ୍ଟ ଜଣାପଡ଼ୁଛି।

 

You might also like