ରାଜଧାନୀରେ ସିଜ୍‌ ହେଲା ୬୩୭ ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତଥାପି ଲୋକେ ଲକ୍‌ଡାଉନ ଗାଇଡ୍‌ଲାଇନ ମାନୁନାହାନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଦୁଇଦିନିଆ ସଟ୍‌ଡାଉନ୍ ରବିବାର ରାତି ୮ଟାରେ ହଟିବା ପରେ ରାଜଧାନୀରେ ପୁଣି ଅମାନିଆମାନ ମନମାନି ଆରମ୍ଭ କରି ଦେଇଛନ୍ତି।

ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସାମାଜିକ ଦୂରତ୍ୱକୁ ମାନିବା ପାଇଁ ନିର୍ଦ୍ଦେଶ ଥିଲେ ବି ଲୋକେ ମାନୁନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଟ୍‌ଡାଉନ ଉଠିବା ପରେ ଏବେ ଲଡାଉନ୍ କଟକଣା ଜାରି ରହିଛି । ଏବେ ସୁଦ୍ଧା ରାଜଧାନୀରେ ୬୩୭ଟି ଗାଡ଼ି ସିଜ୍  ହୋଇଥିବା ଭୁବନେଶ୍ୱର ଡିସିପି ଅନୁପ ସାହୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବଜାରକୁ ପରିବା ଓ ଗ୍ରୋସରୀ ଆଦି କିଣିବାକୁ ଗଲେ ଗାଡ଼ି ନ ନେବାକୁ ଭୁବନେଶ୍ୱର ଡିସିପି କହିଛନ୍ତି। ଏଥିସହ ଭୟଭୀତ ହୋଇ ବଜାରରୁ କିଣାକିଣି ନ କରିବାକୁ ମଧ୍ୟ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ପରିବାରର ଜଣେ ସଦସ୍ୟ ବଜାର ଆସନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

You might also like