କଟକ: କଟକ ବାଦାମବାଡ଼ି ଥାନା ପୋଲିସ ଏକ ଆନ୍ତଃ ଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରିଛି। ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପୋଲିସ ମୋଟ୍ ୨୨ଟି ଗାଡ଼ି ଜବତ କରିଛି।
ଏହି ଲୁଟେରାମାନେ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରୁ ବାଇକ୍ ଚୋରି କରି ଅନ୍ୟ ସ୍ଥାନକୁ ନେଇ ବିକ୍ରି କରୁଥିଲେ ଏବଂ ସେଥିରୁ କିଛି ଗାଡ଼ି ନିଜେ ମଧ୍ୟ ବ୍ୟବହାର କରୁଥିଲେ।
ତେବେ ବାଦାମବାଡ଼ି ଥାନା ଅଞ୍ଚଳରୁ ଏକ ବାଇକ୍ ଚୋରି ହେବା ପରେ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା। ଘଟଣାର ତଦନ୍ତ ଆରମ୍ଭ କରି ବାଦାମବାଡ଼ି ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରିବା ପରେ ସାରା ଗୁମର ଫିଟିଥିଲା।
କଟକ ସହରର ବିଭିନ୍ନ ଥାନା ଅଞ୍ଚଳ ସମେତ ଅନ୍ୟ ସ୍ଥାନ ଏପରିକି ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ରହି ଅତି ଚତୁରତାର ସହ ଆଖି ପିଛୁଳାକେ ଗାଡ଼ି ଚୋରି କରୁଥିଲେ। ଏମାନେ ସମସ୍ତେ ପେଶାଗତ ବାଇକ୍ ଲୁଟେରା ହୋଇଥିବାବେଳେ ଏମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।