ଚେତାଶୂନ୍ୟ ଅବସ୍ଥାରେ ରେଲ୍‌ୱେ ଷ୍ଟେସନ ନିକଟରୁ ଉଦ୍ଧାର ହେଲେ ଅପହୃତ ସୁନା ବ୍ୟବସାୟୀ

ସୋର: ଚେତାଶୂନ୍ୟ ଅବସ୍ଥାରେ ରେଲ୍‌ୱେ ଷ୍ଟେସନ ନିକଟରୁ ଅପହୃତ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ବାଲେଶ୍ୱର ସୋରର ସୁନା ବ୍ୟବସାୟୀ ପ୍ରହଲ୍ଲାଦ ବେହେରାଙ୍କୁ ଗୁରୁବାର ଦିନ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଳଙ୍କାର କିଣିବା ବାହାନାରେ ଜଣେ ଯୁବକ ତାଙ୍କୁ ଡାକି ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ବେଲଦା ଛକରେ ପ୍ରହଲ୍ଲାଦଙ୍କ ଏକ ସୁନା ଦୋକାନ ଅଛି। ଗୁରୁବାର ଦିନ ଦାଣ୍ଡହରିପୁର ଅଞ୍ଚଳର ଜଣେ ଯୁବକ ଗହଣା କିଣିବା ବାହାନାରେ ପ୍ରହଲ୍ଲାଦଙ୍କୁ ଦାଣ୍ଡହରିପୁରକୁ ଡକାଇଥିଲେ। ଏହାପରେ ପ୍ରହଲ୍ଲାଦ ୪୦ ଗ୍ରାମ ସୁନା ନେଇ ବାଇକ୍‌ରେ ଦାଣ୍ଡହରିପୁର ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ପ୍ରହଲ୍ଲାଦଙ୍କୁ ଫୋନ୍‌ କରିଥିଲେ। ହେଲେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ପ୍ରହଲ୍ଲାଦଙ୍କ କୌଣସି ପତ୍ତା ମିଳିପାରିନଥିଲା। ପରେ ଏକ ଅଜଣା ଫୋନ ନମ୍ବରରୁ ପ୍ରହଲ୍ଲାଦଙ୍କୁ ଅଟକ ରଖାଯାଇଥିବା ନେଇ ଫୋନ୍‌ ଆସିଥିଲା। ଏନେଇ ପରିବାର ଲୋକ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ପ୍ରହଲ୍ଲାଦଙ୍କୁ ଖୋଜିବା ପାଇଁ ଛାନଭିନ୍ ଆରମ୍ଭ କରିଥିଲା।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ରେଲ୍‌ୱେ ଷ୍ଟେସନ ନିକଟରୁ ପ୍ରହଲ୍ଲାଦଙ୍କୁ ଚେତାଶୂନ୍ୟ ଅବସ୍ଥାରେ ସୋର ପୋଲିସ୍‌ ଉଦ୍ଧାର କରିଥିଲା। ଅପହରଣକାରୀ ପ୍ରହଲ୍ଲାଦଙ୍କୁ ନିଶା ଦେଇ ଅପହରଣ ପରେ ଖୋର୍ଦ୍ଧା ରେଲ୍‌ୱେ ଷ୍ଟେସନ ନିକଟରେ ଛାଡି ଚାଲିଯାଇଥିବା ଜଣାପଡିଛି। ଅପହରଣ ଅଭିଯୋଗରେ ପୋଲିସ୍‌ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

You might also like