ବରଯାତ୍ରୀ ଉପରେ ପୋଲିସର ଚଢ଼ାଉ, ମୋଟା ଅଙ୍କର ଫାଇନ ଆଦାୟ ! ଦେଖନ୍ତୁ ଭିଡିଓ..

କୋରାପୁଟ: ବିବାହ ଉତ୍ସବ ଚାଲିଥିବା ବେଳେ ଚଢ଼ାଉ କଲା ପୋଲିସ। ଆଦାୟ କଲା ମୋଟା ଅଙ୍କର ଜୋରିମାନା। ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାର ଗାଁରେ।

ଏକି ବିବାହ ଉତ୍ସବ ଚାଲିଥିବାଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଥିଲା। ବିବାହ ଉତ୍ସବରେ ସାମିଲ ହୋଇଥିବା କୌଣସି ଜଣେ ବି ଲୋକ ମାସ୍ମ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ନଥିଲା। ଏମିତିକି କରୋନା ଗାଇଡ ଲାଇନ ଅନୁଯାୟୀ ବିବାହ ଉତ୍ସବରେ ମୋଟ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ଏଠାରେ ତାଠାରୁ ଅଧିକ ଲୋକ ଏକାଠି ହୋଇଥିବା ଦେଖାଯାଇଥିଲା।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ପୋଲିସକୁ ଦେଖି ବରଯାତ୍ରୀରେ ସାମିଲ ଥିବା ସବୁ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ବର-କନ୍ୟା ଉଭୟଙ୍କ ପରିବାର ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋଭିଡ ନିୟମ ଉଲଂଘନ ପାଇଁ ପ୍ରାୟ ୮୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପୋଲିସ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ବରଯାତ୍ରୀରେ ଅତ୍ୟଧିକ ଗହଳି ହୋଇଥିବା ବେଳେ ଯେଉଁଠାରେ ଭୋଜି ଆୟୋଜନ କରାଯାଇଥିଲା ସେଠାରେ ମଧ୍ୟ ୫୦ରୁ ଅଧିକ ଲୋକ ଏକାଠି ହୋଇଥିଲେ।

ତେବେ ବରଯାତ୍ରୀରେ କାହାରି ମୁଁହରେ ମାସ୍କ ନଥିଲା। କେହି ବି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉନଥିଲେ। ଏମିତି ସମସ୍ତେ ଏକାଠି ହୋଇ ନାଚ ଗୀତ କରୁଥିବା ଦେଖାଯାଇଛି।

ମାତ୍ର ଗୋଟିଏ ଦିନ ପୂର୍ବରୁ ସମ୍ବଲପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଖୋଦ ଜିଲ୍ଲାପାଳ ବିବାହ ଉତ୍ସବସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ଏହାସହ କନ୍ୟା ପିତାଙ୍କଠାରୁ ଦଶ ହଜାର ଟଙ୍କାର ଜୋରିମାନା ଆଦାୟ କରିଥିଲେ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମୁଦିପଡ଼ାରେ। ଏକ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣାଯାଇଥିଲା। ହେଲେ ପ୍ରଶାସନ କୋଭିଡ ଗାଇଡଲାଇନ ଅନୁଯାୟୀ, ବିବାହ ଉତ୍ସବରେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲା। କିନ୍ତୁ ଉକ୍ତ ପରିବାର ଏହି ନିୟମକୁ ଖାତିର କରିନଥିଲେ। ବିବାହ ଉତ୍ସବକୁ ୫୦ରୁ ଅଧିକ ଲୋକଙ୍କୁ ଡାକିଥିଲେ। ଆଉ ଏକାଠି ହୋଇଥିଲେ।

ଏହି ଖବର ସ୍ଥାନୀୟ ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିଥିଲା। ଖବରପାଇ ଖୋଦ ଜିଲ୍ଲାପାଳ ପୋଲିସ ଫୋର୍ସ ଧରି ଉକ୍ତ ବିବାହ ଉତ୍ସବରେ ଚଢ଼ାଉ କରିଥିଲେ। ବିବାହ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଥିବା ପ୍ରମାଣ ପାଇଥିଲେ। ପରେ ପ୍ରଶାସନ ପକ୍ଷରୁ କନ୍ୟାର ପିତା-ମାତାଙ୍କଠାରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ଖୋଦ ସମ୍ବଲପୁର ଏସପି ଟୁଇଟ କରି ସୂଚନା ଦେଇଛନ୍ତି।

You might also like