ବନ୍ଧୁକ ଚୋରାକାରବାର ବେଳେ ଚଢାଉ କଲା ପୋଲିସ

ଚଢାଉ କଲା ପୋଲିସ

କଟକ: କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କାରବାର କରୁଥିବାବେଳେ ପୋଲିସ ଚଢାଉ କରିଛି। କେନ୍ଦ୍ରାପଡ଼ାର କୁଖ୍ୟାତ ଅପରାଧୀ ବିଜୟ ନାୟକ, ତାର ସହଯୋଗୀ ଜଗା ଦାସ ସମେତ ୭ ଜଣଙ୍କୁ ପୋଲିସ ଧରିଛି। ଆଜି ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କିଣାବିକା ନେଇ ଡିଲ୍ ଚାଲିଥିବାବେଳେ କମିଶନରେଟ୍ ପୋଲିସ ୭ ଜଣଙ୍କୁ ଧରିଛି। ଏହାସହ ସେମାନଙ୍କ ପାଖରୁ ୭ଟି ବନ୍ଧୁକ, ୬୫ ରାଉଣ୍ଡ ଗୁଳି, କାର୍, ବାଇକ୍ ଓ ମୋବାଇଲ୍ ଜବତ କରାଯାଇଛି।

ଏହି ବନ୍ଧୁକ କାରବାର ସହ ବିହାରର ମୁଙ୍ଗେର ସହ ସଂପର୍କ ରହିଥିବା ପୋଲିସ କହିଛି। ଧରାପଡ଼ିଥିବା କୁଖ୍ୟାତ ଅପରାଧୀ ବିଜୟ ନାୟକ ଟିଟୋ ଗ୍ୟାଙ୍ଗର ସହଯୋଗୀ ଏବଂ ଗ୍ୟାଙ୍ଗଷ୍ଟର ସୁଲେମାନ୍ ହତ୍ୟାକାଣ୍ଡକେ ଅଭିଯୁକ୍ତ ରହିଛି ବୋଲି ସୂଚନା ମିଳିଛି। କିଛିଦିନ ପୂର୍ବରୁ ଜାମିନରେ ବାହାରିଥିବା ବିଜୟ ପୁଣି ବନ୍ଧୁକ କାରବାର ଆରମ୍ଭ କରିଥିଲା ବୋଲି ଜଣାପଡ଼ିଛି। ଆଗକୁ ଅପରାଧ ଘଟାଇବା ଲାଗି ଏହି କାରବାର ହେଉଥିବା ପୋଲିସ କହିଛି। ଏଥିଲାଗି ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏସ୍ପିଙ୍କୁ ସଜାଗ କରାଯାଇଛି। ତେବେ ଅପରାଧ ରୋକିବାରୁ କମିଶନରେଟ୍‌ ପୋଲିସ ଜୋରସୋରରେ ଉଦ୍ୟମ କରୁଛି।

You might also like