କମିଶନରେଟ୍‌ ପୁଲିସ କବ୍‌ଜାରେ ସାଇବର୍ ଠକ ଗ୍ୟାଙ୍ଗ୍

ଭୁବନେଶ୍ୱର: ସପ୍ତାହେ ରଖିଲେ ୨ ଗୁଣା, ଆଉ ମାସେ ରଖିଲେ ୩ରୁ ୫ ଗୁଣା ଲାଭ ମିଳିବ। ଏଭଳି କିଛି ପ୍ରଲୋଭନ ଦେଖାଇ ସେୟାର ବଜାରରେ ଇନ୍‌ଭେଷ୍ଟ୍‌ ନାଁରେ ଲକ୍ଷଲକ୍ଷ ଟଙ୍କାର ହୋଇଛି ଠକେଇ। ବିଦେଶୀ ମୁଦ୍ରା କିଣି ଇନ୍‌ଭେଷ୍ଟ କରିବା ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ ଦୁର୍ବୃତ୍ତ। ଏହି ଠକ ଗ୍ୟାଙ୍ଗର ଖିଲାଡିମାନଙ୍କ ମଧ୍ୟରୁ ୪ଜଣ ଏବେ ପୁଲିସ୍ ଜାଲରେ। ସେମାନଙ୍କ ଘର ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜରାଟରେ ବୋଲି ଜଣାପଡ଼ିଛି।

ପ୍ରଥମେ ଇଣ୍ଟରନେଟ୍‌ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ ଏମାନେ। ୟୁରୋ, ଦିନାର ଓ ରିଆଲ ଭଳି ବିଦେଶୀ ମୁଦ୍ରାକୁ ଏମାନେ ଠକେଇରେ ବ୍ୟବହାର କରୁଥିଲେ। ଭାରତୀୟ ମୁଦ୍ରା ବିନିମୟରେ ଏସବୁ ବିଦେଶୀ ମୁଦ୍ରା କିଣିବାକୁ ଦେଉଥିଲେ ସ୍କିମ୍‌। ସେହି ଟଙ୍କାକୁ ଅନ୍ତର୍ଜାତୀୟ ସେୟାର ମାର୍କେଟରେ ବିନିଯୋଗ କରି ଅଧିକ ଲାଭ କମାଇବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିଲେ ଏମାନେ।

ପୂର୍ବରୁ ଏହି ଗ୍ୟାଙ୍ଗ୍ ଭୁବନେଶ୍ୱରରୁ ଅନ୍‌ଲାଇନ୍‌ ମାଧ୍ୟମରେ ୨ ଜଣଙ୍କଠାରୁ ୩୦ ଲକ୍ଷ ଠକେଇ କରି ଫେରାର ହୋଇଯାଇଥିଲେ। ସେମାନଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି। ଯୋଜନା ମୁତାବକ ଟଙ୍କା ଇନଭେଷ୍ଟ୍‌ କରିବାକୁ କହି ସେମାନଙ୍କୁ ଭୁବନେଶ୍ୱର ଡକାଇଥିଲେ। ଏକ ହୋଟେଲରେ ମିଟିଂ କରୁଥିବା ବେଳେ ପୁଲିସ୍ ଚଢ଼ଉ କରି ଚାରି ଠକଙ୍କୁ ଗିରଫ କରିଥିଲା। କେବଳ ଭୁବନେଶ୍ୱର ନୁହେଁ ଅନ୍ୟରାଜ୍ୟରେ ମଧ୍ୟ ସମାନ ଢଙ୍ଗରେ ଏହି ଗ୍ୟାଙ୍ଗ୍ ଠକେଇ କରିଥିବା ଜଣାପଡ଼ିଛି।

You might also like