ଅଭିନେତ୍ରୀ ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍‌ର ଛାନଭିନ୍ ଆରମ୍ଭ

କଟକ : ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ। ଆଜି ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛି। ପୁଲିସ୍‌ ସହ ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ଘରକୁ ଯାଇ ପୁରା ଘଟଣାର ଅନୁଧ୍ୟାନ କରିଛନ୍ତି।

ଛାତ ଉପର ବୁଲି ଦେଖିବା ସହ ସେ କେଉଁଠି ଏବଂ କିଭଳି ପଡ଼ିଲେ ସେନେଇ ଟିମ୍ ଅନୁଧ୍ୟାନ କରିଛନ୍ତି। ଏହାସହ ଘଟଣାକୁ ନେଇ ନିକିତାଙ୍କ ଶାଶୁ ଶ୍ୱଶୁରଙ୍କୁ ପଚରାଉଚୁରା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ଗତକାଲି ନିକିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନିକିତାଙ୍କ ବାପା ସନାତନ ବେହେରା ଅଭିଯୋଗ କରିଥିଲେ। ସେହିଭଳି ଶାଶୁ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ଥାନାରେ ଅଭିଯୋଗ କରିଥିଲେ।

ନିକିତାଙ୍କ ବାପା ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଲିପନ ସାହୁ, ଶାଶୁ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଶାଶୁ ଘର ସହ ଝିଅର ମନୋମାଳିନ୍ୟ ଥିଲା। ନିକିତାଙ୍କୁ ବୁଝାଇବାକୁ ତାଙ୍କ ସ୍ୱାମୀ ଆସିଥିଲେ। ଏହାପରେ ଦୁଇଜଣ ଛାତ ଉପରକୁ ଯାଇଥିଲେ। ତେବେ ନିକିତାଙ୍କୁ ଛାତ ଉପରୁ ଲିପନ ଠେଲି ଦେଇଥିବା ନିକିତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଶୁକ୍ରବାର ରାତିରେ ନିକିତା ଛାତ ଉପରୁ ପଡ଼ି ଗୁରୁତର ହେବା ପରେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ପୁଲିସ୍‌ ଅଟକ ରଖିଛି।

ତେବେ ଏ ପ୍ରସଙ୍ଗରେ ନିକିତାଙ୍କ ଶାଶୁଘର ଲୋକ କିମ୍ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

You might also like