ଭୁବନେଶ୍ୱର: OTV ନାଁରେ ସାରୁଅ ଜମି ଜବରଦଖଲ ଅଭିଯୋଗ ମାମଲାରେ ବାଘମାରି ଥାନାରେ OTVର ବରିଷ୍ଠ ଅଧିକାରୀଙ୍କୁ ୮ ଘଣ୍ଟା ଜେରା କରିଛି ପୋଲିସ୍। OTV ସିଏଫ୍ଓ, ସାରୁଅ ସାଇଟ୍ ଇନଚାର୍ଜ ଓ ଜଣେ ପୂର୍ବତନ କର୍ମଚାରୀଙ୍କୁ ଜେରା କରାଯାଇଛି।
କାଲି OTV ଅଫିସ୍କୁ ଆସି ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ପୋଲିସ୍। ଉଲ୍ଲେଖଯୋଗ୍ୟ ଯେ, ଜମି ଜବର ଦଖଲ ହୋଇନି ବୋଲି ଅମିନ କହିସାରିଛନ୍ତି। ତହସିଲଦାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଅମିନ ମାପଚୁପ ପରେ କ୍ଲିନଚିଟ୍ ଦେଇଛନ୍ତି।
ପ୍ରକାଶଥାଉକି, ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଟେଲିଭିଜନ ନାଁରେ ଜମି ଜବରଖଲର ମିଛ ଅଭିଯୋଗ ପରେ ଘଟଣାସ୍ଥଳରେ ଜମି ମାପଚୁପରୁ ଜବରଦଖଲ ହୋଇ ନଥିବା ସ୍ପଷ୍ଟ ହୋଇଥିଲା। ଭୁବନେଶ୍ୱର ଉପକଣ୍ଠ ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାର ତଦନ୍ତ ହୋଇଛି। ଘଟଣାସ୍ଥଳରେ ଜମି ମାପଚୁପ କରି ଜବର ଦଖଲ ହୋଇନି ବୋଲି କହିଥିଲେ ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ ଶଙ୍କର୍ଷଣ ପାଇକରାୟ।
୧୮୨୯ ନମ୍ବର ପ୍ଲଟ ମାପଚୁପ କରିବାକୁ ଆମକୁ ନିର୍ଦ୍ଦେଶ ଥିଲା, ସେହି ଅନୁଯାୟୀ ପ୍ଲଟ ମାପ କଲା ବେଳେ ନକ୍ସା ମୁତାବକ ସରଜମିନ ଠିକ ରହିଛି ବୋଲି ଅମିନ କହିଥିଲେ। ପ୍ଲଟ ଯେତିକି ରହିବା କଥା ନକ୍ସା ଅନୁସାରେ ଠିକ ୭୦୫ ଡେସିମିଲ୍ ରହିଛି। ହେଲେ କେହି ଜବରଦଖଲ କରିନାହାନ୍ତି ବୋଲି ମାପଚୁପରୁ ସ୍ପଷ୍ଟ ଜଣାପଡୁଛି। ତା’ ସହ ଧାନ ବିଲ ଅଛି, ଚାଷ ବି ହୋଇଛି ବୋଲି ଅମିନ କହିଥିଲେ।