ପୁଣି ଥରେ ‘ଓଡ଼ିଶା ରିପୋର୍ଟର’ ସଂପାଦକଙ୍କୁ ପୋଲିସ୍ର ଜେରା
ଭୁବନେଶ୍ୱର: ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍ ମାମଲାରେ କ୍ୟାପିଟାଲ ଥାନାରେ ଆଜି ପୁଣି ଥରେ ହାଜର ହୋଇଥିଲେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ହାଜର ହୋଇଥିଲେ। ଗତକାଲି ପରି ଆଜି ବି ତାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଆସନ୍ତାକାଲି ମଧ୍ୟ ତାଙ୍କୁ ପୁଣି ଥରେ ହାଜର ହେବା ପାଇଁ ପୁଲିସ୍ ପକ୍ଷରୁ କୁହାଯାଇଛି।
ସେହପରି କରୋନା ଅନୁଭୂତି ସଂପର୍କିତ ଭାଇରାଲ ଅଡିଓ ମାମଲାରେ ଗତକାଲି OTVର ବରିଷ୍ଠ କର୍ମଚାରୀ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ। ବାର୍ତ୍ତା ସଂପାଦକ, ଡିଜିଟାଲ ମୁଖ୍ୟ, ଓଡ଼ିଶା ରିପୋର୍ଟର ସମ୍ପାଦକଙ୍କ ସହ ଅନ୍ୟ ଯେଉଁମାନଙ୍କୁ ନୋଟିସ୍ ହୋଇଥିଲା, ସେମାନେ ଥାନାରେ ହାଜର ହୋଇଥିଲେ। ପୂର୍ବରୁ ତଦନ୍ତରେ ସହଯୋଗ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏହି ମାମଲାରେ ଗତ ୧୭ ତାରିଖରେ OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ପୋଲିସ୍ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଓଟିଭି ଆରମ୍ଭରୁ ତଦନ୍ତରେ ସହଯୋଗ କରି ଆସିଛି ଏବଂ ଆଗକୁ ମଧ୍ୟ କରିବ।