କରୋନା କଟକଣା ଭାଙ୍ଗି ସସ୍‌ପେଣ୍ଡ ହେଲେ ଆଇଆଇସି

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଆଜି  ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରାଯାଇଛି।

ଲକ୍‌ଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ଘଟଣାକୁ ଡିଜିପି ଅଭୟ ଅତି ଗୁରୁତ୍ୱପୂର୍ଣ୍ଣ ସହ ନେଇ IIC ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରିଛନ୍ତି । ଏହା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଡିଜିପି ଅଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଆଇଆଇସି  ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପଶିଥିଲେ। ଏନେଇ ସିଂହଦ୍ୱାର ଥାନାରେ ଜଣେ ହାବିଲଦାରଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଥିଲା। ପରିବାରର ୫ ଜଣ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିବା ଜଣାପଡ଼ିଥିଲା।

ଡ୍ୟୁଟିରେ ଥିବା ହାବିଲଦାରଙ୍କ କହିବା ଅନୁଯାୟୀ, ସେ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ। ଗତକାଲି ସମ୍ପୃକ୍ତ ପୋଲିସ ଅଧିକାରୀ ଓ ତାଙ୍କ ପରିବାର ଲୋକଙ୍କୁ ସିଂହଦ୍ୱାର ଥାନା ପୋଲିସ ଅଟକ ରଖି ଘଟଣାର ଖୋଳତାଡ଼ କରିଥିଲା।

 

You might also like