ବଡ ଭାଇର ସମ୍ପର୍କ ଯୋଡି କଏଦୀଙ୍କ ପତ୍ନୀ ସହ ମିଠା ମିଠା କଥା ହେଉଥିଲେ, ଶେଷରେ…

ଭଦ୍ରକ:ଜେଲ୍‌ରେ ଥିବା ଜଣେ କଏଦୀଙ୍କଠାରୁ ତାଙ୍କ ପତ୍ନୀଙ୍କ ଫୋନ ନମ୍ବର ଆଣି କଥା ହେଲେ ରସିକିଆ ହାବିଲଦାର ।  ମିଠା ମିଠା କଥା ହେଲେ। ଭଉଣୀ ବୋଲି କହି ସମ୍ପର୍କ ଯୋଡିଲେ । ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଲେ। ସ୍ୱାମୀଙ୍କୁ ମୁକୁଳାଇ ଦେବେ…ବନ୍ଧକ ସୁନାଗହଣା ଫେରାଇ ଆଣିବେ..ଏମିତି ଅନେକ କିଛି..। ହେଲେ ତାଙ୍କ କଥା ଟିକେ ବୁଝିବାକୁ ମହିଳାଙ୍କୁ କହି ହଠାତ ଦିନେ ପହଞ୍ଚିଗଲେ କଏଦୀଙ୍କ ଘରେ । ଆଉ ତା’ ପରେ ଖୋଲି ଗଲା ଧର୍ମ ଭାଇର ଅସଲି ମୁଖା। କଏଦୀଙ୍କ ପତ୍ନୀଙ୍କୁ ଅସଦାଚରଣ କରି ଧରାପଡ଼ିଗଲେ ହାବିଲଦାର। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ।

ପୂରା ଘଟଣା ଥିଲା ଏମିତି। ଜମିଜମା ବିବାଦକୁ ନେଇ ଏକ ଗଣ୍ଡଗୋଳ ଘଟଣାରେ ଭଣ୍ଡାରୀପୋଖରୀ ଥାନା  ଖଡ଼ିଶିଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କୁ ପୋଲିସ ରାତିରେ ଗିରଫ କରିଥିଲା। ପରଦିନ ତାଙ୍କୁ  କୋର୍ଟ ଚାଲାଣ କରିଥିଲା। କୋର୍ଟ ଚାଲାଣ ପାଇଁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ ।

ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା। ସେହି ସମୟରେ ଅଭିଯୁକ୍ତ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଫୋନ କରିବା ଲାଗି ହରମୋହନଙ୍କୁ ମୋବାଇଲ ମାଗିଥିଲେ । ହରମୋହନ ଫୋନ ଦେବା ସହ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହ ବାରମ୍ବାର କଥା ହୋଇଥିଲେ।

ଫୋନରେ ନିଜକୁ ବଡ ଭାଇ ବୋଲି ପରିଚୟ ଦେଇ ମିଠା ମିଠା କଥା ହୋଇଥିଲେ। ତାଙ୍କ ସ୍ୱାମୀଙ୍କୁ ଦିନେ ବା ଦୁଇଦିନ ମଧ୍ୟରେ ମୁକୁଳାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ସେ ବନ୍ଧକ ରଖିଥିବା ସୁନା ଗହଣା ବି ମୁକୁଳାଇ ଦେବେ ବୋଲି କଥା ଦେଇଥିଲେ। କଏଦୀଙ୍କ ପତ୍ନୀ ମଧ୍ୟ ସରଳ ହୃଦୟରେ ତାଙ୍କୁ ଭାଇ ବୋଲି ବିଶ୍ୱାସ କରିଥିଲେ। ତାଙ୍କ ମିଠା ମିଠା କଥା ଭିତରୁ ବିଶ୍ୱାସଘାତକତାର ବାସ୍ନା ବାରି ପାରି ନ ଥିଲେ।

ରସିକିଆ ହାବିଲଦାର ତାଙ୍କୁ ଘରେ ଏକ ପୂଜା କରିବା ପାଇଁ କହିଥିଲେ। ଏଥିପାଇଁ ଆବଶ୍ୟକ ଜିନିଷ କିଣି ରଖିବାକୁ କହିଥିଲେ। ତେବେ ଏସବୁ ପରିବର୍ତ୍ତେ ତାଙ୍କ କାମ କରିଦେବାକୁ ବାରମ୍ବାର କଏଦୀଙ୍କ ପତ୍ନୀଙ୍କୁ କହୁଥିଲେ। ଶେଷରେ ଦିନେ କଏଦୀଙ୍କ ଘରେ ପହଞ୍ଚିଗଲେ ହାବିଲଦାର ହରମୋହନ।

ସେଠାରେ କଏଦୀଙ୍କ ପତ୍ନୀଙ୍କୁ ଅସଦାଚରଣ କରିବା ସହ ଟଣାଓଟରା କରିଥିଲେ। ହେଲେ କଏଦୀଙ୍କ ପତ୍ନୀ ଚିତ୍କାର କରିବାରୁ ଗ୍ରାମବାସୀ ପହଞ୍ଚି ରସିକିଆ ହାବିଲଦାର ହରମୋହନଙ୍କୁ ଅଟକ ରଖିଥିଲେ। ପରେ ତାଙ୍କୁ ପୋଲିସ ଜିମା ଦେଇଛନ୍ତି।  ଭଣ୍ଡାରୀପୋଖରୀ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।

You might also like