ସହିଦନଗର ଥାନା ଭଙ୍ଗାରୁଜା: ବିରୋଧୀଙ୍କ ଟାର୍ଗେଟରେ ସରକାର

ଭୁବନେଶ୍ୱର: ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ଅମିତ ଜେନା ଏବଂ ଶିବାନନ୍ଦ ନାଥ। ପ୍ରକାଶ ତ୍ରିପାଠୀ ନାମକ ଅନ୍ୟଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ତେବେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ଏହି ଘଟଣାରେ ଗିରଫ ହେବା ପରେ ବିରୋଧୀଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି ସରକାର। ଏହା ସରକାରୀ ଦଳର ଖୋଲାଖୋଲି ଦାଦାଗିରି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ମର୍ଣ୍ଣିଂ ଓ୍ୱାକ୍ କରୁଥିବାବେଳେ ଅମିତଙ୍କୁ ଗିରଫ କରିଥିଲା ପୁଲିସ୍‌। ତାଙ୍କ ବିରୋଧରେ ୩୦୭ (ହତ୍ୟା ଉଦ୍ୟମ) ଭଳି ଦଫା ଲାଗିଛି। ସେହିପରି ଶିବାନନ୍ଦଙ୍କ ବିରୋଧରେ ମଧ୍ୟ ସାଙ୍ଘାତିକ ଦଫା ଲାଗିଛି।

ସହିଦନଗର ଥାନା ଭଙ୍ଗାରୁଜା, ପୁଲିସ ହେପାଜତରେ ଯୁବକଙ୍କୁ ମାଡ଼ ଓ ପୁଲିସକୁ ପିଟି ଲହୁଲୁହାଣ କରିବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଗିରଫ ଅଭିଯୁକ୍ତମାନେ କହିଛନ୍ତି ପ୍ରକାଶ ଏତଲା କରିବା ପାଇଁ ସେମାନଙ୍କୁ ଡକାଇ ଥିଲେ। ତେବେ ଆକ୍ରମଣକାରୀଙ୍କ ମଧ୍ୟରେ ସେମାନେ ନଥିବା ଓ ଭଙ୍ଗାରୁଜା କରି ନଥିବା କହିଛନ୍ତି।

ଏହି ଘଟଣାରେ ପ୍ରକାଶଙ୍କ ସମେତ ୩୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଛି। ପ୍ରକାଶ ବିଜୁ ଯୁବ ଜନତା ଦଳର ଉପସଭାପତି ହୋଇଥିବା ବେଳେ ଏବେ କେଉଁଠି ଅଛନ୍ତି ତାହା ପୁଲିସ ମଧ୍ୟ ଜାଣିପାରୁ ନାହିଁ। ପୁଲିସ ଏକାଧିକ ଟିମ୍ ଗଠନ କରି ତନାଘନା ଚଳାଇଛି। ମାମଲାରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ତେବେ ଏହାକୁ ନେଇ ବିଜେଟି ଉପରେ ବର୍ଷିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଆଇନ୍‌ର ଶାସନ ବୋଲି କିଛି ନାହିଁ। ଆଇନ୍‌ଶୃଙ୍ଖଲା ପରିସ୍ଥିତିର ଅବନତି ଘଟିଛି। ଦୋଷୀକୁ ଉଚିତ୍‌ ଦଣ୍ଡ ଦିଆଯାଉ ବୋଲି ସମସ୍ତେ ଏକ ସ୍ୱରରେ ଦାବି କରିବା କଥା।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “ବିଜେଡି ବ୍ୟାପକ ମାତ୍ରାରେ ଗୁଣ୍ଡାଗର୍ଦ୍ଦି କରୁଛି। ଆଗାମୀ ଦିନରେ ମଧ୍ୟ କରିବ। ଏହା ହେଉଛି, ତା’ର ଉଦାହରଣ। ପୁଲିସ୍‌ ନିରବଦ୍ରଷ୍ଟା ରହିବ। ନିର୍ବାଚନ ପୂର୍ବରୁ ଜନତାଙ୍କୁ ସେମାନେ କଣ କରିବେ ତାହା ସୂଚାଇ ଦେଉଛନ୍ତି।”

ତେବେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ସମୀର ଦାଶ କହିଛନ୍ତି, “ବିଜେଡି ସବୁ ବେଳେ ଆଇନ୍‌କୁ ସମ୍ମାନ ଦେଇଥାଏ। ଆପଣ ଦେଖିବେ ଆଇନ୍‌ ତା’ ସମ୍ମାନ ରକ୍ଷା କରିବ।”

You might also like