ଶ୍ରୀ ଶ୍ରୀ ୟୁନିଭର୍ସିଟି ସୁପରଭାଇଜର ହତ୍ୟା ଘଟଣାର ପର୍ଦ୍ଦାଫାସ

ମହିଳା ବନ୍ଧୁଙ୍କ ପାଇଁ ପ୍ରତିଶୋଧ ପରାୟଣ ହୋଇ କରିଥିଲା ହତ୍ୟା

କଟକ : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସୁପରଭାଇଜର ସୁନୀଲ ସାହୁ ହତ୍ୟାକାଣ୍ଡର ଗୁମର ଖୋଲିଛି କମିଶନରେଟ୍ ପୁଲିସ। ନିଜ ସ୍କୁଲ ସାଙ୍ଗକୁ ଶାରୀରିକ ଓ ମାନସିକ ନିର୍ଯାତନା ନେଇ ଏହି କାଣ୍ଡ ଘଟାଇଛି। ଗିରଫ ଅଭିଯୁକ୍ତ ନିରଞ୍ଜନ ବେହେରା ହତ୍ୟାକାଣ୍ଡ ସଂପର୍କରେ ଅାଜି ଏମିତି କିଛି ଖୁଲାସା କରିଛନ୍ତି ପୁଲିସ କମିଶନର।

କମିଶନରଙ୍କ କହିବା ଅନୁସାରେ ସୁନୀଲ ଡେଙ୍କାନାଳରେ ଏକ ଘରୋଇ କଲେଜ୍‌ରେ ଅାଡମିନିଷ୍ଟ୍ରେଟର ଭାବେ କାମ କରୁଥିଲେ। ସେଠାରେ ସେ ଜଣେ ଅଧ୍ୟାପିକାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ସହ ତାଙ୍କୁ ହଇରାଣ ହରକତ କରୁଥିଲେ। ଏମିତିକି ଅଧ୍ୟାପିକାଙ୍କ ଦରମା ମଧ୍ୟ ବନ୍ଦ କରି ଦେଉଥିଲେ।

ସୁନୀଲ ସେଠାରୁ ଅାସି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ମଧ୍ୟ ନିଜ କାର୍ଯ୍ୟକଳାପରେ ବିରତ ହୋଇନଥିଲେ। ତେବେ ସଂପୃକ୍ତ ଅଧ୍ୟାପିକା ନିକ ସ୍କୁଲ ସାଙ୍ଗ ନିରଞ୍ଜନକୁ ଏବିଷୟରେ କହିବା ପରେ ନିରଞ୍ଜନ ଯୋଜନା ମୁତାବକ ଏହି ହତ୍ୟାକାଣ୍ଡ ଘଟାଇ ଥିବା ପୁଲିସ କମିଶନର କହିଛନ୍ତି।

ହତ୍ୟାକାଣ୍ଡ ପୂର୍ବରୁ ନିରଞ୍ଜନଙ୍କ ଉଦ୍ୟମରେ ଓ ପୁଲିସ ମାର୍ଫତରେ ସଂପୃକ୍ତ ଅଧ୍ୟାପିକାଙ୍କ ବକେୟା ଅର୍ଥ ଦେବାର ବ୍ୟବସ୍ଥା ହୋଇଥିଲା। ତେବେ ନିଜ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ନିରଞ୍ଜନ ସୁନୀଲକୁ ଚେତାବନୀ ଦେଇଥିଲା। ମାତ୍ର ସୁନୀଲ ଏହାକୁ କର୍ଣ୍ଣପାତ ନକରିବାରୁ ତାଙ୍କୁ ରାସ୍ତାରୁ ହଟାଇବା ଲାଗି ନିରଞ୍ଜନ ଯୋଜନା କରିଥିବା କମିଶନର କହିଛନ୍ତି।

ଏଥିଲାଗି ନିରଞ୍ଜନ ବିହାର ମୁଙ୍ଗେର ଯାଇ ବନ୍ଧୁକ କିଣି ଅାଣିବା ସହ  ହତ୍ୟାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।  ଗତ ୨୫ ତାରିଖରେ ବାରଙ୍ଗ ଗୋଡିସାହି ନେତଲ ଛକରେ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ନିରଞ୍ଜନ ଦିନ ଦ୍ୱିପହରରେ ସମସ୍ତଙ୍କ ଅାଖି ସାମ୍ନାରେ ସୁନୀଲକୁ ଗୁଳିକରି ହତ୍ୟା କରିଥିଲା।

ନିରଞ୍ଜନ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ସେ ବ୍ୟବହାର କରିଥିବା ବନ୍ଧୁକ ଓ ଦୁଇ ଚକିଅା ଗାଡିକୁ ପୁଲିସ ଜବତ କରିଛି।

You might also like