ଭୁବନେଶ୍ୱର: ରାତି ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଘୋଷଣା ପରେ ଆଜି ଟୁଇନ ସିଟିରେ ଚେକିଂ କଡାକଡି କରାଯାଇଛି। ଉଭୟ କଟକ ଓ ଭୁବନେଶ୍ୱରରେ ଆଜି ସନ୍ଧ୍ୟା ପରେ କମିଶନରେଟ ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି। ସେପଟେ କର୍ଫ୍ୟୁ ସମୟରେ ବିମାନ କିମ୍ବା ଟ୍ରେନରେ ଯାଆସ କରୁଥିବା ଯାତ୍ରୀଙ୍କୁ ଯାତାୟତ ପାଇଁ ଅନୁମତି ଦିଆଯାଇଛି।
ଟିକେଟ୍ ଦେଖାଇ ସେମାନେ ଯାଇପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସେହିପରି ବସଯାତ୍ରୀଙ୍କ କ୍ଷେତ୍ରରେ ବି କର୍ଫ୍ୟୁ କଟକଣା କୋହଳ କରାଯାଇଛି।
ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ମାଲବାହୀ ଗାଡି ଯାଆସ କରିପାରିବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ୩୦ ଜୁନ ଯାଏଁ ଏହି ନିୟମ ବଳବତ୍ତର ରହିବ ହେଲେ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ।
ପ୍ରକାଶଥାଉକି, ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଏନେଇ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଥିଲେ। ପରେ ଏହାକୁ ସାମାନ୍ୟ କୋହଳ କରାଯାଇ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କରାଯାଇଥିଲା। ରାତ୍ରକାଳୀନ କର୍ଫ୍ୟୁରେ କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ଏହି କୋହଳ ନିୟମ କିନ୍ତୁ ଓଡ଼ିଶାରେ ଲାଗୁ ହୋଇନାହିଁ।