ପରିବା ଦୋକାନୀ ଓ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା; SPଙ୍କୁ ରିପୋର୍ଟ ମାଗିଲେ DGP

ପୁରୀ: ପୁରୀରେ ପରିବା ଦୋକାନୀ ଓ ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣ ଅଭିଯୋଗକୁ ଗୁରୁତର ସହିତ ନେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ତୁରନ୍ତ ଏହାର ତଦନ୍ତ କରି ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଏକ ରିପୋର୍ଟ ପଠାଇବା ପାଇଁ ପୁରୀ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ତଦନ୍ତ କରିବାକୁ ଏସପିଙ୍କୁ ଡିଜିପି କହିଛନ୍ତି ।

ବୁଧବାର ପୁରୀ ବଡ଼ଶଙ୍ଖରେ କିଛି ପରିବା ଦୋକାନୀଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୋଲିସ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୋଲିସ୍ ସେମାନଙ୍କୁ ମାଡ଼ ମାରିଥିବା ଦୋକାନୀମାନେ ଅଭିଯୋଗ କରିଥିଲେ । ସେଠାରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ରାସ୍ତା ଉପରେ ବସି ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ଦୋକାନୀ । ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନାନୁଯାୟୀ, ସକାଳ ୭ଟାରୁ ୧୧ ଟା ମଧ୍ୟରେ ଦୋକାନ ଖୋଲା ରହିବ ବୋଲି ଘୋଷଣା ହୋ‍ଇଥିବାରୁ ସେମାନେ ଦୋକାନ ଖୋଲିଥିଲେ । କିନ୍ତୁ ସେଠାରେ ପୋଲିସ୍ ପହଞ୍ଚି ସେମାନଙ୍କ ଉପରେ ଜୁଲୁମ୍ ଦେଖେ‍ଇଥିବା ଦୋକାନୀ କୁହନ୍ତି । ଏହା ସହିତ ଜଣେ ଦୋକାନୀ କହିଛନ୍ତି ଯେ ପ୍ରତିଦିନ ପୋଲିସ୍ ଆସି ସେମାନଙ୍କ ଠାରୁ ଦୋକାନ ସାମଗ୍ରୀ ଛଡେଇ ନଉଥିବା ବେଳେ ସେମାନଙ୍କୁ ଟଙ୍କା ଦେଲେ ଫେରଉଛନ୍ତି । ପୋଲିସର ଏହି ଦାଦାଗିରିକୁ ଦୋକାନୀମାନେ ବିରୋଧ କରିବା ସହ ନ୍ୟାୟ ମାଗିଛନ୍ତି ।

ସେପଟେ ଘଟଣା ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ତଳେ ପକେଇ ପୋଲିସ୍ ବୁଟ୍‌ରେ ଗୋ‍ଇଠା ମାରିଥିବା ସେ ଅଭିଯୋଗ କରିଛନ୍ତି । ଦୋକାନୀ ଓ ପୋଲିସ୍ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ସାମ୍ବାଦିକ ଜଣକ ପଚାରିବାରୁ ତାଙ୍କୁ ପୋଲିସ୍ ଏକ କଣକୁ ନେ‍ଇ ମାଡମାରିଥିବା ସେ କହିଛନ୍ତି ।

You might also like