• translate
Rajalaxmi Sahoo

ଭୁବନେଶ୍ୱର: ଭୁବନେଶ୍ୱର ଆଇଆର୍‌ସି ଭିଲେଜ ସ୍ଥିତ ଭିଆଇପି କଲୋନୀରେ ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭ୍ୟାନ୍‌ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି‌ ୫ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପିସିଆର୍ ଭ୍ୟାନ୍‌ ଭଙ୍ଗାରୁଜା ଓ ୨ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତଙ୍କୁ ପିସିଆର୍‌ ଭ୍ୟାନ୍‌ରେ ଥାନାକୁ ନେବାବେଳେ ମାର୍‌ପିଟ୍‌ ହୋଇଥିଲା। ପ୍ରଶାନ୍ତ ଦାସ ପିସିଆର୍‌ ଭ୍ୟାନ୍ ଅଟକାଇ ଚାବି ଛଡ଼ାଇ ନେଇଥିଲେ। ପରେ ଲୋକମାନେ କ୍ଷଣିକ ଉତ୍ତେଜନାରେ ଅଭିଯୁକ୍ତଙ୍କୁ ମାର୍‌ପିଟ୍‌ କରିଥିଲେ। ଦଣ୍ଡ ଦେବାର ଅଧିକାର ଜନସାଧାରଣ କି ପୋଲିସର ନାହିଁ। ଦଣ୍ଡ ଦେବାର ଅଧିକାର କେବଳ କୋର୍ଟଙ୍କର ଅଛି, ଆଇନକୁ ହାତକୁ ନିଅନ୍ତୁ ନାହିଁ।

ଗତକାଲି ଦିନ ସାଢେ ୧୧ଟା ସମୟରେ IRC Village N-2 ଲେନ୍‌ରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଆକ୍ରମଣ ପ୍ରତି ଆକ୍ରମଣରେ ଡ୍ରାଇଭର ଟୁକୁନା ଓରଫ୍ ଜଟିଆଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଲୋକମାନେ ଅଭିଯୁକ୍ତ ୨ ଭାଇ ସାଗର ପୃଷ୍ଟି ଓ ସୁଧିର ପୃଷ୍ଟିଙ୍କୁ ପିସିଆର୍‌ ଭ୍ୟାନ୍‌ରୁ ଟାଣି ଆଣି ଆକ୍ରମଣ କରିବା ସହ ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା କରିଥିଲେ।

ସୂଚନାଥାଉ କି, ଏହି ଘଟଣାରେ ପୋଲିସ୍‌ ହତ୍ୟାକାରୀ ୨ ଭାଇଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ, ପୂର୍ବରୁ ଏହି ଘଟଣାକୁ ନେଇ ପୋଲିସ ୩ଟି ମାମଲା ରୁଜୁ କରି ସାରିଛି। ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇଛି। ଦୁଇ ଭାଇ ମିଶି ତାକୁ ହତ୍ୟା କରିବା ନେଇ ଦ୍ୱିତୀୟ ମାମଲା ହୋଇଛି। ସାଧାରଣ ଲୋକେ ଦୁଇ ଭାଇଙ୍କୁ ପିଟିବା ନେଇ ତୃତୀୟ ମାମଲା ରୁଜୁ ହୋଇଥିଲା।

Other Stories