ନା ଥିଲା ଫଟୋ ନା ଠିକଣା, ତଥାପି ପହଞ୍ଚିଗଲା ପୋଲିସ୍‌

ଭୁବନେଶ୍ୱର: ନା ପୋଲିସ୍‌ ପାଖରେ ଥିଲା ଫଟୋ, ନା ଠିକଣା। କେବଳ ପୋଲିସ୍‌କୁ‌ ସେମାନଙ୍କର ନାଁ ହିଁ ଜଣାଥିଲା। ଆଉ ଶେଷରେ ପୋଲିସ୍‌କୁ ସଫଳତା ମିଳିଥିଲା। ଗଞ୍ଜେଇ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଜରାଟ ସୁରତ ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ସୁନୀଲ ପାଣ୍ଡି। ଖବ୍‌ରୀ ଓ ମୋବାଇଲ୍ ସର୍ଭେଲାନ୍ସ ସହାୟତାରେ ଚଢ଼ାଉ କରି ପୋଲିସ୍‌ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଗିରଫ ପରେ ଗୁଜରାଟ ପୋଲିସ୍ ସୁନିଲଙ୍କୁ ‌ଓଡ଼ିଶାରୁ ସୁରତ ନେଇଛି।

ପାଣ୍ଡି ବନ୍ଧୁ ନାମରେ କୁଖ୍ୟାତ ଥିବା ସୁନୀଲ ପାଣ୍ଡି ଓ ଅନୀଲ ପାଣ୍ଡି ଏକ ବଡ଼ ଗଞ୍ଜେଇ ରାକେଟ୍ ଚଳାଇଥିଲେ। ଗଞ୍ଜାମରେ ଏମାନଙ୍କର ଘର ବୋଲି ଜଣାପଡ଼ିଛି। ଦୁହେଁ ଓଡ଼ିଶାରୁ କୋଟି କୋଟି ଟଙ୍କାର ଗଞ୍ଜେଇ ସୁରତକୁ ଓ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିବା କ୍ରାଇମବ୍ରାଞ୍ଚ ସୁରାକ୍ ପାଇଥିଲା। ହେଲେ ସେମାନଙ୍କ ନାଁ ବ୍ୟତୀତ ପୋଲିସ ପାଖରେ ନା ଥିଲା ଫଟୋ ନା ଠିକଣା। ତେବେ ଖବ୍‌ରୀ ଓ ମୋବାଇଲ୍ ସର୍ଭେଲାନ୍ସ ସହାୟତାରେ ପୋଲିସ୍‌ ରାତି ଅଧରେ ଗଞ୍ଜାମ ଜିଲ୍ଲା ସଚିନା ଗାଁରେ ଚଢ଼ାଉ କରି ସୁନୀଲଙ୍କୁ ଧରିବାରେ ସଫଳ ହୋଇଥିଲା।

ଅନୀଲ ମଧ୍ୟ ଖୁବ୍‌ଶୀଘ୍ର ଧରାପଡ଼ିବ ବୋଲି ସୁରତ କ୍ରାଇମବ୍ରାଞ୍ଚ ଏସିପି ଆଶା ପ୍ରକାଶ କରିଛନ୍ତି। ଉଭୟଙ୍କ ନାଁରେ ସୁରତରେ ଏକାଧିକ ମାମଲା ରହିଛି।

You might also like