ପୋଲିସ୍ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍ ବୋହୂ
କଳାହାଣ୍ଡି(ରାଜ କୁମାର ସିଂ ଦେଓ): ପୋଲିସ୍ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍ ବୋହୂ। ନକଲି ବିବାହ କରି ଲୋକଙ୍କୁ ଠକୁଥିବା ଏହି ଡୁପ୍ଲିକେଟ୍ ବୋହୂଙ୍କୁ ପୋଲିସ୍ ଧରିଛି। ଖାଲି ଡୁପ୍ଲିକେଟ୍ ବୋହୂ ନୁହେଁ ଏସବୁ କାମରେ ତାଙ୍କୁ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। କଳାହାଣ୍ଡି ପୋଲିସ୍ ଏହି ୪ ଜଣିଆ ଆନ୍ତରାଜ୍ୟ ଗ୍ୟାଙ୍ଗକୁ ଧରିଛି।
ଗିରଫଙ୍କ ମଧ୍ୟରେ ଅଛନ୍ତି ନକଲି ବୋହୂ ସାଜୁଥିବା ସୁନ୍ଦରଗଡ ଜିଲ୍ଲାର ଏଲି ମହାନ୍ତ ଓ ତାଙ୍କ ସହଯୋଗୀ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବୀରବଲ ଶର୍ମା ଏବଂ ଛତିଶଗଡ଼ର ମୀନା ଗୁପ୍ତା ଓ ଶ୍ରବଣ ସୋନି। ଏଲି ମହନ୍ତ ନିଜ ନାଁ ବଦଳାଇ ବିବାହ କରୁଥିବା ବେଳେ ଅନ୍ୟମାନେ ତାଙ୍କ ମା, ବାପା ଏବଂ ମାମୁ ହେଉଥିଲେ।
ବିଶେଷ କରି ଏମାନେ ବୟସ୍କ ତଥା ବିବାହ ବିଚ୍ଛେଦ ହୋଇଥିବାଲୋକଙ୍କୁ ଟାର୍ଗେଟ କରୁଥିଲେ। ଏହାପରେ ନକଲି ବିବାହ କରି ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକି ନେଉଥିଲେ। ଏହି ଗ୍ୟାଙ୍ଗ ପୂର୍ବରୁ ୪ଟି ନକଲି ବିବାହ କରି ଲକ୍ଷାଧିକ ଟଙ୍କା ଠକି ନେଇଥିବା କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସହ ବିବାହ ପାଇଁ ଠିକ୍ କରି ଏହି ଗ୍ୟାଙ୍ଗ୍ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ପରେ ଘଟଣାର ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିବାରେ ପୋଲିସ୍ ସକ୍ଷମ ହୋଇଥିଲା।