ଯାହାକୁ ଜନ୍ମ ଦେଇଥିଲେ, ତାର ଜୀବନ ନେଇଗଲେ

ବାଲେଶ୍ୱର: ନଗ୍ରମ ଗାଁ ପୋଲତଳୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ସଦର ଥାନା ପୋଲିସ। ମହିଳାଙ୍କୁ ତାଙ୍କ ମା ହିଁ ସୁପାରୀ ଦେଇ ମାରିଥିବା କହିଲା ପୋଲିସ। ମହିଳାଙ୍କ ମା ଏବଂ ଜଣେ ସୁପାରୀ କିଲରକୁ ପୋଲିସ ଗିରଫ କରିଛି। ମୃତା ମହିଳା ଶିବାନୀ ନାୟକ (୩୬) ପାନ ଦୋକାନ କରିଥିଲେ।

ତେବେ ନିଶାପାନ ଓ ଅନ୍ୟକିଛି କାରଣକୁ ନେଇ ଶିବାନୀଙ୍କ ସହ ତାଙ୍କ ମାଙ୍କ ମନୋମାଳିନ୍ୟ ଥିଲା। ବାରଣ ସତ୍ତ୍ୱେ ନମାନିବାରୁ ଝିଅକୁ ହତ୍ୟା ଯୋଜନା କରିଥିଲେ ମା। ରାଇସୁଆଁର ପ୍ରମୋଦ ଜେନାକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ମା।

ହତ୍ୟା ପାଇଁ ୫୦ ହଜାର ଡିଲ୍ ହୋଇଥିଲା, ୮ ହଜାର ଅଗ୍ରୀମ ଦେଇଥିଲେ। ଘଟଣା ଦିନ ପ୍ରମୋଦ ସହ ୩ ଜଣ ଶିବାନୀଙ୍କୁ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ପୋଲ ତଳକୁ ଫିଙ୍ଗି ପଳାଇଥିଲେ। ତଦନ୍ତ ପରେ ଏହି ୩ ଅଭିଯୁକ୍ତ ସୁପାରୀ କିଲର ପ୍ରମୋଦ ଓ ମୃତ ମହିଳାଙ୍କ ମାଙ୍କୁ ପୋଲିସ ଗିରଫ କରିଛି।

କିନ୍ତୁ ଏହି ଅଭିଯୋଗ ଉପରେ ମା କହିଛନ୍ତି, ମୁଁ ହତ୍ୟା କରିନି, ମୋତେ ଫସାଯାଉଛି। କିଏ କଣ ତା ଛୁଆର ହତ୍ୟା କରିପାରେ। ମୁଁ ଠିକ୍ ଭାବରେ ପଇସା ଗଣିପାରେନି। ଏତେ ଟଙ୍କାର ଡିଲ୍‌ କରିବି କେମିତି। ଆଉ ଏତେ ପଇସା ଆଣିବି କୋଉଠୁ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ ପ୍ରଶ୍ନ କରିଛନ୍ତି।

ମୃତ ମହିଳା ଜଣକ କିଛି ବର୍ଷ ତଳେ ବିବାହ ହୋଇଥିଲେ। ତେବେ କୌଣସି କାରଣରୁ ସେ ଶାଶୂ ଘରେ ନରହି ବାପ ଘରେ ରହିଆସୁଥିଲେ। ମୃତ ମହିଳା ଜଣକ ବେଆଇନ୍‌ ମଦ ଓ ନିଶା କାରବାରରେ ଲିପ୍ତ ରହୁଥିବାରୁ ଏନେଇ ତାଙ୍କ ମା ତାଗିଦ୍ କରିଥିଲେ। ଯେହେତୁ ମହିଳା ଜଣକ ଆଉ ବାଟକୁ ଆସିଲେ ନାହିଁ, ତାଙ୍କୁ ଜୀବନ ମାରିଦେବାକୁ ଯୋଜନା କରିଥିଲେ ମା।  
ପ୍ରକାଶ ଚନ୍ଦ୍ର ପାଲ, ସଦର, ଏସ୍‌ଡିପିଓ
You might also like