ବିଶ୍ୱାସରେ ବିଷ: ଯେଉଁ ଘରେ କାମ କରୁଥିଲେ, ସେହି ଘରେ କଳାକନା ବୁଲାଇଲେ
ଭୁବନେଶ୍ୱର: ଘରୋଇ ସହାୟିକାଙ୍କ ମାୟା ଜାଲରେ ଧୋକ୍କା ଖାଇଲେ ମାଲିକାଣୀ। ମାଲିକଙ୍କ ଅଗୋଚରରେ ଘରେ ବୁଲାଇ ଦେଲେ କଳାକନା। ଯେଉଁଘରେ କାମ କରୁଥିଲେ ସେହି ଘରୁ ସମସ୍ତ ସୁନା ଚୋରି କରି ଏବେ ଧରାପଡିଛନ୍ତି। ଘରୋଇ ସହାୟିକା ଜଣକ ଚୋରି କଲା ପରେ ଯେପରି କାହାର ସନ୍ଦେହ ନହେବ, ସେଥିପାଇଁ ଫେରାର ନହୋଇ ମାଲିକଙ୍କ ଘରେ କାମ ମଧ୍ୟ କରୁଥିଲେ। ତେବେ ଘରୁ ଚୋରି ହେବା ପରେ ମାଲିକ ଏନେଇ ଭୁବନେଶ୍ୱର ଖଣ୍ଡିଗରି ଥାନାରେ ଏତଲା ଦେଇଥିଲେ।
ଆଉ ଏତଲା ଆଧାରରେ ପୋଲିସର ଖୋଳତାଡ ପରେ ଏବେ ସତ ସାମ୍ନାକୁ ଆସିଛି। ସନ୍ଦେହ ହେବାରୁ ପ୍ରଥମେ ଘରେ କାମ କରୁଥିବା ମହିଳାଙ୍କୁ ତଦନ୍ତ ପରିସରକୁ ନେଇଥିଲା ପୁଲିସ୍। ଆଉ ତାଙ୍କୁ ଗୁଡ଼ାଇ ତୁଡ଼ାଇ ବିଭିନ୍ନ ପ୍ରଶ୍ନ କରିବା ପରେ ଚୋର ସତ ମାନିଥିଲା। ପୋଲିସ ଚୋରି ସୁନାକୁ ଜବତ କରିବା ସହ ସମ୍ପୃକ୍ତ ଘରୋଇ ସହାୟିକା ଏବଂ ତାର ଜଣେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।
ତେବେ ଚୋରି ଘଟଣା ନେଇ ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ବେହେରା କହିଛନ୍ତି, ପଚରାଉଚରା କରିବାରୁ ଗିରଫ ମହିଳା ଜଣକ ବନ୍ଧନ ବ୍ୟାଙ୍କରେ କିଛି ସୁନା ବନ୍ଧା ରଖିଥିବା ସହ ଆଉ କିଛି ସୁନା ବଦଳାଇ ନୂଆ ଗହଣା ଆଣିଥିବା କଥା କହିଛନ୍ତି। ଆଉ ଏଥିରେ ତାଙ୍କ ପୁରୁଷ ବନ୍ଧୁ ସାହାଯ୍ୟ କରିଥିବା ମଧ୍ୟ କହିଥିଲେ।