ମାଙ୍କଡା ଖଣିରେ ଚଢ଼ାଉ: ପୋଲିସ୍-ଗ୍ରାମବାସୀ ଠେଲାପେଲା

ଭୁବନେଶ୍ୱର: ବେଆଇନ ଭାବେ ଚାଲିଥିବା ଖଣିରେ ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ବାଣପୁର ଥାନା ଟାଙ୍ଗୀ ବନବିଭାଗ ଅଧିନ ନାଚୁଣୀ ନିକଟସ୍ଥ ମତପୋଖରାରେ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଖୋର୍ଦ୍ଧା, ରଣପୁର, ଟାଙ୍ଗି ଓ ବାଲୁଗାଁ ବନ କର୍ମଚାରୀ ମିଳିତ ଭାବେ ମତପୋଖରା ନିକଟ ମାଙ୍କଡା ଖଣିରେ ଚଢ଼ାଉ କରିବାକୁ ଆସିଥିଲେ।

ଖଣିଠାରୁ କିଛି ଦୂରରେ ଥିବା ଜେସିବି ଜବତ କରିବାକୁ ବନବିଭାଗ ଯାଇଥିଲା। ହେଲେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏମିତିକି ବନବିଭାଗ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଠେଲାପେଲା ପର୍ଯ୍ୟନ୍ତ କଥାଯାଇଥିଲା। ଘଟଣାସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା। ଚୋରାଚାଲାଣ ସନ୍ଦେହରେ ଜେସିବି ଜବତ କରିବାକୁ ଗଲାବେଳେ ଏଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଟାଙ୍ଗୀ ରେଞ୍ଜରଙ୍କ କହିବାନୁସାରେ ଯେଉଁ ଜେସିବି ସେଠାରେ ଖୋଳୁଥିଲା, ସେମାନେ ବିଭାଗୀୟ କର୍ମଚାରୀଙ୍କୁ ଦେଖି ପଳାଇଲା। ପୋଲିସ୍ ଆସି ପହଞ୍ଚିବା ପରେ ଜେସିବି ଖଣି ଖୋଳିବା ଅଞ୍ଚଳରୁ ବାହାରେ ଠିଆ ହୋଇଥିଲା। ତେବେ ଜବତ କରିବାକୁ ଯିବା ସମୟରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ଠେଲାପେଲାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବା ପାଇଁ ପଛଘୁଞ୍ଚା ଦେଇନଥିଲେ। ଆଗରୁ ଏହି ଅଞ୍ଚଳରେ ବେଆଇନ୍ ଖନନ ଓ ମାଙ୍କଡା ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ତହସିଲଦାର ମଧ୍ୟ ଗାଡ଼ି ସମେତ ମାଙ୍କଡା ଜବତ କରୁଛନ୍ତି ତଥାପି ଚୋରା ଚାଲାଣ ହେଉଛି।

 

You might also like