ଭୁବନେଶ୍ୱରରୁ ୨୭ ଲକ୍ଷ ଲୁଟି ଭାଇଜାକ୍ରେ ଧରାପଡ଼ିଲେ, ଲୁଟ୍ର ଡମୋ ଦେଖାଇଲେ
ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ଥିବା ପିଏନ୍ବି ଏଟିଏମ୍ରୁ ୨୭ ଲକ୍ଷ ଟଙ୍କା ଲୁଟରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ୍ କରିଛି ଭୁବନେଶ୍ୱର ପୋଲିସ। ଆନ୍ଧ୍ର ପ୍ରଦେଶର ଭାଇଜାଗରୁ ରିମାଣ୍ଡରେ ଆଣି ଭୁବନେଶ୍ୱର କମିଶନରେଟ୍ ପୋଲିସ ଆଜି ଦୁହିଁଙ୍କୁ ନେଇ ଏଟିଏମ୍ ଲୁଟ୍ର ଡେମୋ କରାଇଛି ।
ଦୁହେଁ କିପରି ଲୁଟ୍ କରିଥିଲେ, କେଉଁ ଟେକ୍ନୋଲୋଜି ଆପଣାଇଥିଲେ, ତାହା ପୋଲିସ ଆଗରେ କରି ଦେଖାଇଛନ୍ତି । ସେପଟେ ଏଟିଏମ୍ ଲୁଟ୍ ସଂପର୍କରେ ଅଧିକ ତଥ୍ୟ ଜାଣିବା ଲାଗି ପୋଲିସ ଦୁହିଁଙ୍କୁ ଜେରା କରିବ । ଦୁହେଁ ଭୁବନେଶ୍ୱର କିପରି ଆସିଥିଲେ ?କାହିଁକି ଏହି ଏଟିଏମ୍କୁ ଟାର୍ଗେଟ କଲେ ? ଏତେ ଟଙ୍କା ନେଇ କଣ କଲେ ଓ କେଉଁଠି ନିବେଶ କରିଛନ୍ତି ? ସେସବୁର ଖୋଳତାଡ଼ କରିବ ପୋଲିସ ।
ଅକ୍ଟୋବର ୧୦ରେ ପଟିଆ ପିଏନ୍ବି ଏଟିଏମ୍ ଲୁଟ୍ କରିବା ପରେ ଦୁହେଁ ଏୟାରପୋର୍ଟ ଯାଇ ସେଠାରୁ ଚଣ୍ଡୀଗଡ଼ ଓ ପରେ ଭାଇଜାଗ ଯାଇଥିଲେ । ଭାଇଜାଗରେ ଗୋଟିଏ ଏଟିଏମ ଲୁଟ୍ କରି ପୋଲିସ ହାତରେ ଧରାପଡ଼ିଥିଲେ । ଏପଟେ ଦୁହିଁଙ୍କୁ ଖୋଜୁଥିବା ଭୁବନେଶ୍ୱର କମିଶନରେଟ୍ ପୋଲିସ ଖବର ପାଇ ଆନ୍ଧ୍ର ପୋଲିସ ସହ ଯୋଗାଯୋଗ କରିଥିଲା । ଦୁହିଁଙ୍କୁ ରିମାଣ୍ଡରେ ଆଣିବାକୁ ଉଦ୍ୟମ କରିଥିଲା । ଗତକାଲି ଦୁହିଁଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା । ଦୁଇ ଅଭିଯୁକ୍ତ ହେଲେ ପଞ୍ଜାବର ସମରଜ୍ୟୋତ ସିଂ ଓ କେରଳର ଜାଫର ସାଦ୍ଦିକ ଏ. ଭି.