ନାଁ ନେବାକୁ ଏତେ ଇଚ୍ଛା ? ରାଜଭବନରେ ପହଞ୍ଚିଲା ‘ପ୍ର.ଆ.ଯୋ’
ଭୁବନେଶ୍ୱର: ରାଜଭବନରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ। ରାଜ୍ୟରେ ଆବାସ ଯୋଜନାକୁ ନିଜ କବଜାକୁ ନେଇଯାଇଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମ୍କୁ ହଡ଼ପ କରିବାକୁ ଉଦ୍ୟମ ହେଉଛି। ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି ରାଜଭବନ ଯାଇଥିଲା ବିଜେପି ଟିମ୍। ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡିଶା, ସାରା ଦେଶରେ ପଛରେ ରହିଥିବା କଥା ଅବଗତ କରାଇଥିଲେ। ଏହାସହ ଆବାସ ଯୋଜନାରେ ଘର କରାଇବା ଲାଗି ଅର୍ଥ ମଧ୍ୟ ମଗାଯାଉଛି। ଆଉ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କଲେ ହତ୍ୟା କରାଯାଉଥିବା ଭଳି ଜଘନ୍ୟ ଘଟଣା ଘଟୁଛି। ଯାହାର ସଦ୍ୟ ଉଦାହରଣ ମାହାଙ୍ଗା ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ସେପଟେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ କହିଛନ୍ତି ଯେ କେଉଁ ନେତା ମନ୍ତ୍ରୀ ବାଣ୍ଟୁଛନ୍ତି ତାହା ବିଜେପି କହିଲେ ସତ୍ୟାସତ୍ୟ ପରଖାଯିବ।
ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଲେ, ସେମାନଙ୍କୁ ହତ୍ୟା କରାଯାଉଛି। ସମସ୍ତେ କିପରି ଛାତ ଘରେ ରହିପାରିବେ, ଏନେଇ ପ୍ରଧାନମନ୍ତ୍ରୀଙ୍କ ଆଖିରେ ନିଦ ନାହିଁ। କିନ୍ତୁ ଏଠି ଓଡ଼ିଶା ସରକାର ସାବତ ମା ସାଜି ଗରିବ ପରିବାରଙ୍କୁ ସୁବିଧାରୁ ବଞ୍ଚିତ କରୁଛନ୍ତି।
-ସମ୍ବିତ ପାତ୍ର, ରାଷ୍ଟ୍ରୀୟ ପ୍ରବକ୍ତା, ବିଜେପି
କେଉଁ ମନ୍ତ୍ରୀମାନେ ବାଣ୍ଟୁଛନ୍ତି, ସେମାନଙ୍କ ନାଁ କହିଲେ ସିନା ସତ୍ୟାସତ୍ୟ ଜଣାପଡ଼ିବ। ବିନା ପ୍ରମାଣରେ କାହା ଉପରେ ଅଭିଯୋଗ କରାଯାଇପାରିବ ନାହିଁ ।
-ରଘୁନନ୍ଦନ ଦାସ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ
ପ୍ର.ଆ.ଯୋ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଷ୍ଟିକରରେ ନାଁ ବଦଳାଇଲେ ସରକାର। ଆବାସ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି #Odisha #BJP pic.twitter.com/6NViRtJi6V
— ଓଟିଭି (@otvkhabar) January 14, 2021
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୋଷ୍ଟରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ର.ଆ.ଯୋ ଭାବେ ସଂକ୍ଷେପରେ ଲେଖି ବିଜୁ ପକ୍କାଘର ଯୋଜନାକୁ ବଡ଼ କରି ଲେଖାଯାଇଥିଲା। ଏନେଇ ପଞ୍ଚାୟତ ସ୍ତରରୁ ବିଜେପି ବିରୋଧ କରିବା ପରେ ସରକାର ପୋଷ୍ଟରକୁ ବଦଳାଇଥିଲେ। ଏହାପରେ ବି ବିବାଦ ଥମିନି। ଦିନକ ତଳେ ମୟୁରଭଞ୍ଜରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାହିଁକି ବିଜୁ ବାବୁଙ୍କ ଫଟୋ ଲାଗିବ, କାହିଁକି ମୟୂରଭଞ୍ଜର ବରପୁତ୍ର ମାନଙ୍କ ଫଟୋ ଲାଗିବ ନାହିଁ ତାକୁ ନେଇ ଯୋଜନା ପ୍ରସ୍ତୁତି ବୈଠକରେ ବିଜେପି ପ୍ରଶ୍ନ ଉଠାଇଥିଲା। ଏହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବୋଲି କହି ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରତିବାଦ କରିଥିଲେ। ଆଉ ତାପରେ ଦୁଇ ଦଳର କର୍ମୀଙ୍କ ଭିତରେ ଶ୍ରେୟ ରାଜନୀତି ଜୋର ଧରିଛି। ଏପଟେ କିନ୍ତୁ ପ୍ରକୃତ ହିତାଧିକାରୀ ରାଜନୀତିର ଗୋଲକ ଧନ୍ଦାରେ ପଡି ଘର ଖଣ୍ଡିଏ ପାଉନି।
୨୦୨୨ ସୁଦ୍ଧା ସମସ୍ତେ ପକ୍କା ଘରେ ରହିବେ। ଏ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର ସରକାର ମିଶନ ମୋଡରେ ନେଇଛନ୍ତି। ତେବେ ଓଡିଶାରେ ବିଭିନ୍ନ ସ୍ଥାନରୁ ଏହି ଯୋଜନାକୁ ନେଇ ଆସୁଥିବା କେଳେଙ୍କାରୀର ଅଭିଯୋଗ ଭିତରେ ଏ ଲକ୍ଷ୍ୟ ପୂରଣ ହୋଇପାରିବ କି ନାହିଁ, ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।