କରୋନାକୁ ନେଇ ସାବଧାନ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜାଣନ୍ତୁ କଣ କହିଲେ?

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ ଆଲୋଚନା

  • ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ ଆଲୋଚନା
  • କରୋନାର ପୁନଃ କୋପକୁ ନେଇ ମୋଦିଙ୍କ ଚେତାବନୀ
  • ଟିକା ଅପଚୟ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
  • ଶାସନ ଲାଗି ପରୀକ୍ଷାର ସମୟ: ମୋଦି
  • ଓଡ଼ିଶାରେ ଅଧିକ RTPCR ଟେଷ୍ଟକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
  • ଜୋରଦାର ହେବ ପ୍ରବାସୀଙ୍କ ଟେଷ୍ଟିଂ 

ନୂଆଦିଲ୍ଲୀ: କରୋନାର ପୁନଃ କୋପକୁ ନେଇ ପ୍ରଧାନମନ୍ତ୍ରୀ ଦେଇଛନ୍ତି ବଡ଼ ଚେତାବନୀ। ଯଦି ଏ ଲହରୀକୁ ରୋକାନଯାଏ ତାହାଲେ ସାରା ଦେଶକୁ ବ୍ୟାପି ପାରେ କରୋନା। ବେପରୁଆ ନ ହୋଇ କି ଲୋକଙ୍କୁ ନଡରାଇ ପୁଣି କରୋନା ସହ ଲଢେଇ କରିବା ସହ ଶାସନ ଲାଗି ପରୀକ୍ଷାର ସମୟ ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଟିକା ଅପଚୟ ରୋକିବାକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିଲେ ମୋଦି। ତାସହ ଓଡ଼ିଶା ସମେତ କିଛି ରାଜ୍ୟରେ RTPCR ଟେଷ୍ଟ ଅଧିକ କରିବାକୁ ପରାମର୍ଶ ଦେଇଛନ୍ତି। ଏପଟେ କିଛି ରାଜ୍ୟରେ ଦୃତ ସଂକ୍ରମଣକୁ ଦେଖି ଓଡ଼ିଶା ଆସୁଥିବା ଲୋକଙ୍କ ଟେଷ୍ଟିଂ ସହ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଟେଷ୍ଟିଂ ବଢ଼ାନ୍ତୁ ରାଜ୍ୟ, ଛାନିଆ ନହୁଅନ୍ତୁ ଜନତା। ଦେଶରେ କରୋନାର କଡ଼ ଲେଉଟାଣି ସ୍ଥିତିର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ରାଜ୍ୟ ମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାସହ କହିଛନ୍ତି ସହରରୁ ଯେମିତି ସଂକ୍ରମଣ ଗାଁକୁ ନବ୍ୟାପେ ସେଥିପାଇଁ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟକୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଓଡ଼ିଶା ଓ ବିହାରରେ ଆଣ୍ଟିଜେନ ଟେଷ୍ଟ ଅଧିକ ହେଉଥିବାରୁ ସେଠି RTPCR ଟେଷ୍ଟକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି।

ତାସହ ତେଲେଙ୍ଗାନାରେ ୧୦ ପ୍ରତିଶତ ଟିକା ନଷ୍ଟ ହୋଇଥିବାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଭ୍ୟାକସିନର ଶୂନ ଅପଚୟକୁ ନିଶ୍ଚିତ କରିବା ସଭିଙ୍କ ଦାୟିତ୍ୱ ବୋଲି କହିଛନ୍ତି। ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ କ୍ଷୂର୍ଣ୍ଣ କରିବା ସହ ସମାନ ବୋଲି କହିବା ସହ ମିଶନ ମୋଡରେ କାମ କଲେ ଟିକା ଅପଚୟ କମିବ ବୋଲି କହିଛନ୍ତି। ତାସହ ସଂକ୍ରମଣ ରୋକିବାକୁ ଦବାଇ ଓ କଡ଼ାଇ ନିଶ୍ଚିତ ମାନିବାକୁ କହିବା ସହ ଏହା ଶାସନ ଲାଗି ପରୀକ୍ଷାର ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ତେବେ କୌଣସି ସ୍ଥାନରେ ଲୋକଙ୍କୁ ଭୟଭୀତ ନକରି ସଚେତନ କରିବା ଉପରେ ଜୋର ଦେଇଛନ୍ତି ମୋଦି।

ସେପଟେ ମହାରାଷ୍ଟ୍ର ଓ ଗୁଜରାଟର କେତେକ ସହରରେ ନାଇଟ୍ କର୍ଫ୍ୟୁ ଓ ଲକଡାଉନ୍ ଲାଗିବା ପରେ ସେଠାରେ ବିଭିନ୍ନ କମ୍ପାନୀ ଓ କାରଖାନାରେ କାର୍ଯ୍ୟରତ ଓଡ଼ିଆଙ୍କ ପାଇଁ ଚିନ୍ତା ବଢିଛି। ବର୍ଷେ ତଳେ ଯମ ଯନ୍ତ୍ରଣା ଭୋଗି ପ୍ରାୟ ୧୧ ଲକ୍ଷ ଓଡ଼ିଆ ନିଜ ରାଜ୍ୟ ଓଡ଼ିଶା ଫେରିବା ପରେ ପୁଣି ୮ରୁ ୯ମାସ ପରେ କର୍ମକ୍ଷେତ୍ରକୁ ବାହୁଡ଼ିଥିଲେ। ହେଲେ ପୁଣି କରୋନା ନାଲି ଆଖି ଦେଖାଇଲାଣି। ସର୍ବାଧିକ ସଂଖ୍ୟାରେ ରାଜ୍ୟ ବାହାରେ କାର୍ଯ୍ୟରତ ଗଂଜାମ ଜିଲ୍ଲାର ପ୍ରବାସୀ ପୁଣି ଥରେ ଘର ମୁହାଁ ହେବାକୁ ପ୍ରସ୍ତୁତ ହେଉଥିବା ପରିବାର ଲୋକଙ୍କୁ ବି ଜଣାଇଲେଣି। ଆଉ ଏପଟେ ଯେପରି ଗତବର୍ଷ ଭଳି ଅସମ୍ଭାଳ ସ୍ଥିତି ନଉପୁଜେ ସେଥିପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ଆଜି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ।

ଆହୁରି ପଢନ୍ତୁ : ସ୍ଥିର ରହୁଛି କି ଆକ୍ରାନ୍ତଙ୍କ ସଂଖ୍ୟା? ଜାଣନ୍ତୁ ୨୪ ଘଣ୍ଟାରେ କେତେ ସଂକ୍ରମିତ ହେଲେ ଚିହ୍ନଟ?

ସେପଟେ ଦେଶରେ ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ୩୦ ହଜାର ମୁହାଁ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୮ ହଜାର ୯୦୩ ନୂଆ ରୋଗୀ। ମୃତ୍ୟୁ ସଂଖ୍ୟା ବି ଦୈନିକ ପୁଣି ୨ଶହ ଛୁଇଁବା ଛୁଇଁବା ହେଉଛି। ରାଜ୍ୟରେ ବି ଦୈନିକ ନୂଆ ପଜିଟିଭ୍ ସଂଖ୍ୟା ୮୦ ଡେଇଁଲାଣି। ତେଣୁ ଏଭଳି ସ୍ଥିତିରେ ବାହାରୁ ଆସୁଥିବା ଲୋକଙ୍କୁ ମନିଟରିଂ କରାଯାଇ ଟେଷ୍ଟିଂ ସହ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସୁରତରୁ ଶୈଳେସ ଚମ୍ପାନରିଆ, ଖଲିକୋଟରୁ ସିଲୁ ବିଶ୍ୱାଳ ଓ ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ

You might also like