ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’

ଭୁବନେଶ୍ୱର: ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ୍ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଅପରାହ୍ଣରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ମୋଦି ସମ୍ବଲପୁରରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ମୋଦି ସକାଳ ସାଢ଼େ ୧୦ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ସମ୍ବଲପୁର ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

ଅପରାହ୍ଣ ସାଢ଼େ ୫ଟାରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହି ରୋଡ୍‌ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ।

ମୋଦିଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୦ ପ୍ଲାଟୁନ୍‌ ଫୋର୍ସ ସହ ୧୩୦ ଅଫିସର ଓ ବରିଷ୍ଠ ପୁଲିସ୍‌ ଅଫିସର ନିୟୋଜିତ ହେବେ। ବ୍ଲୁ ବୁକ୍‌ ସୁରକ୍ଷା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।

ଅନ୍ୟପଟେ, ଆଜି ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ଥିବାରୁ ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏନ୍‌ଏଚ୍‌ ଉପରେ ହାଲୁକା ଏବଂ ଭାରୀଯାନ ଚଳପ୍ରଚଳ ଉପରେ କଟକଣା କରାଯାଇଛି।

 

You might also like