ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ତାଳଚେର ଗସ୍ତ କରିଥିଲେ। ସେଠାରେ ସାର କାରଖାନାର ଶିଳାନ୍ୟାସ କରିଥିଲେ।
ତାଳଚେର ସଭାରେ ମୋଦି ଜୟ ଜଗନ୍ନାଥ ଓ ଜୟ ମା’ ହିଙ୍ଗୁଳା କହି ନିଜ ଭାଷଣ ଆରମ୍ଭ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ,“ତାଳଚେରର ବିକାଶ ନୂଆ ଓଡ଼ିଶାର ବିକାଶର ଗାଥା ଲେଖିବ। ସାର କାରଖାନାର ପୁନରୁଦ୍ଧାର ନୂଆ ବିକାଶକୁ ଗତିଶୀଳ କରିବ। କାରଖାନାର ପୁନରୁଦ୍ଧାର ନହେବା ପୂର୍ବ ସରକାରର ବିଫଳତା।”
ମୋଦି କହିଥିଲେ,“ ସାର କାରଖାନାର ପୁନରୁଦ୍ଧାର ସୌଭାଗ୍ୟ ମୋତେ ମିଳିଛି। ଏହି ପ୍ରକଳ୍ପ ପୁନରୁଦ୍ଧାର ନେଇ ଏଠିକା ଲୋକ ଆଶା ଛାଡ଼ି ଦେଇଥିଲେ। ଏବେ ନୂଆ ଟେକ୍ନୋଲୋଜି ଜରିଆରେ ପୁନରୁଦ୍ଧାର କରାଗଲା। ଆମେ ଦେଶକୁ ଆଗକୁ ନେବାକୁ ଉଦ୍ୟମ ଚାଲୁ ରଖିଛୁ। ଏହି କାରଖାନା ଦ୍ୱାରା ସାଢ଼େ ୪ ହଜାର ଲୋକ କର୍ମସଂସ୍ଥାନ ପାଇବେ। ୩୬ ମାସ ପରେ ମୁଁ ଏଠାକୁ ଆସିବି, ଏହାକୁ ଉଦ୍ଘାଟନ କରିବି।”
ଏହି ଅବସରରେ ସେ ମଞ୍ଚରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।
ରାଜ୍ୟ ସରକାରଙ୍କ କେଜି ପ୍ରତି ୧ ଟଙ୍କା ଦରରେ ଦେଉଥିବା ଚାଉଳର ଗୁମର ମଧ୍ୟ ଖୋଲିଥିଲେ ପ୍ରଧାନମନ୍ତ୍ରୀ।
ସେ କହିଥିଲେ,“କେନ୍ଦ୍ର ଚାଉଳ କେଜି ପିଛା ୨୫ରୁ ୩୦ ଟଙ୍କା ଦେଉଛି। ଅର୍ଥାତ୍ ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି ସେଥିପାଇଁ କେନ୍ଦ୍ର କେଜି ପିଛା ୨୫/୩୦ ଟଙ୍କା ଦେଉଛି। ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଦେଉଛି।”
https://youtu.be/KxZCrwI4eHI
ସେ କହିଥିଲେ,“ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନି। ନବୀନ ବାବୁ କାହିଁକି ବୁଝିପାରୁନାହାନ୍ତି ମୁଁ ବୁଝିପାରୁନି। ଏ ଖୋଲା ସଭାରେ ନବୀନ ବାବୁଙ୍କୁ ପୁଣି ଥରେ କହୁଛି, ନବୀନ ବାବୁ ଯୋଜନାରେ ସାମିଲ ହୁଅନ୍ତୁ, ଗରିବଙ୍କୁ ଲାଭ ଦିଅନ୍ତୁ। ଓଡ଼ିଶାରେ ସ୍ୱାସ୍ଥ୍ୟସେବା କଥା କାହାକୁ ଅଛପା ନୁହେଁ।”
ସେ କହିଥିଲେ,“ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ଖାତା ଖୋଲିଛି। ଗରିବ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି। ସ୍ୱଚ୍ଛତା ମିଶନ ମାପଦଣ୍ଡରେ ଓଡ଼ିଶା ପଛରେ ପଡ଼ିଛି। ସ୍ୱଚ୍ଛତା ମିଶନ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କଥା ହୋଇଥିଲି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଥିବା କହିଲି। ଏଠି ପୁଣି କହୁଛି, ନବୀନ ଓଡ଼ିଶାରେ ସ୍ୱଚ୍ଛତାକୁ ପ୍ରାଥମିକତା ଦିଅନ୍ତୁ।”
https://youtu.be/sTyv88YqwUo
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଥିଲେ। ପୂର୍ବ ସରକାରରେ ରାଜ୍ୟରେ ଗ୍ୟାସ୍ କନେକ୍ସନ ୨୨% ଥିଲା। ଏବେ ୬୦/୬୫% ଲୋକଙ୍କ ଘରେ ଗ୍ୟାସ୍ କନେକ୍ସନ ରହିଛି।
ତାଳଚେରରେ ସାର କାରଖାନାର ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେ କହିଥିଲେ,“ ଆଜି ଓଡ଼ିଶାବାସୀଙ୍କ ପାଇଁ ଆନନ୍ଦର ଦିନ। ପ୍ରଧାନମନ୍ତ୍ରୀ ସାର କାରଖାନାର ଶିଳାନ୍ୟାସ କରିଛନ୍ତି। ସାର କାରଖାନା ପାଇଁ ଆମର ଅନେକ ଦିନରୁ ଦାବି ଥିଲା। ପୂର୍ବ ଭାରତରେ ୟୁରିଆ କାରଖାନା ନଥିବାରୁ ଅସୁବିଧା ହେଉଥିଲା। ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶରୁ ଆମେ ୟୁରିଆ ଆଣୁଥିଲୁ। ତାଳଚେର କାରଖାନା ଯୋଗୁଁ ସେ ଅସୁବିଧା ଦୂର ହେବ।”
https://youtu.be/BybYfkJqATs
ସୁଚନାଯୋଗ୍ୟ, ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ରାଜ୍ୟପାଳ ଗଣେଶୀଲାଲ, ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ବିମାନ ବନ୍ଦରରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମଙ୍କ ସହିତ ବିଜେପିର ଅନ୍ୟ ତୁଙ୍ଗ ନେତାମାନେ ମଧ୍ୟ ମୋଦିଙ୍କୁ ସ୍ୱାଗତ କରିଥିଲେ।
Published By: Odishatv Bureau
Last updated: 22 September 2018, 01:36 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।