ଟଙ୍କିକିଆ ଚାଉଳର ଗୁମର ଖୋଲିଲେ ମୋଦି

ସମ୍ବଲପୁର(ସଞ୍ଜୟ ଜେନା): ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।

ଚାଷୀ, ଚିଟ୍‌ଫଣ୍ଡ, ଖଣି, ଜାତୀୟ ଖାଦ୍ୟ ଯୋଜନାରେ ଚାଉଳ ଓ ଧାନର ଏମ୍ଏସ୍‌ପି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଟାର୍ଗେଟ କରିଥିଲେ।

ପିସି ଓ ଚିଟ୍‌ଫଣ୍ଡ ପ୍ରସଙ୍ଗ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ଚିଟ୍‌ଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମିତି ଆପଣଙ୍କ କଥା ବୁଝିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ  କରିଥିଲେ।

ଜାତୀୟ ଖାଦ୍ୟ ଯୋଜନାରେ ୧ ଟଙ୍କିଆ ଚାଉଳ ଯୋଜନାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଗୁମର ଖୋଲିଥିଲେ। କେନ୍ଦ୍ର ୨୯ରୁ ୩୦ ଟଙ୍କା ଦେଉଥିବା ବେଳେ, ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଇ କହୁଛନ୍ତି ଶସ୍ତାରେ ଦେଉଛନ୍ତି। ଏମିତି ମିଛ କହି ଓଡ଼ିଶା ସରକାର ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି ବୋଲି ମୋଦି କହିଥିଲେ।

ଏଥର ବିଜେପି ସରକାର ଆସିଲେ ଜଳଶକ୍ତି ମନ୍ତ୍ରାଳୟ ହେବ। ମତ୍ସ୍ୟଜୀବୀଙ୍କ ପାଇଁ ଅଲଗା ମତ୍ସ୍ୟ ମନ୍ତ୍ରାଳୟ ଗଠନ କରାଯିବ। ୨୦୨୨ ସୁଦ୍ଧା ଓଡ଼ିଶାର ସବୁ ଗରିବଙ୍କୁ ପକ୍କା ଘର ମିଳିବ ବୋଲି ମୋଦି କହିଛନ୍ତି।

ଓଡ଼ିଶାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଓଡ଼ିଶାରେ ଏଥର ନିଶ୍ଚିତ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

You might also like