ସମ୍ବଲପୁରରେ IIM ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ମୋଦି

ସମ୍ବଲପୁର: ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁରରେ IIM ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ ଓ ରମେଶ ପୋଖରିୟାଲ୍‌ ପ୍ରମୁଖ ଯୋଗ ଦେଇଥିଲେ।

ଭର୍ଚୁଆଲ୍‌ ମୋଡ୍‌ରେ ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଦେଇଥିଲେ। ମହାପ୍ରଭୁ ଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଜୁହାର ଜଣାଇ ଥିଲେ। ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ ସଙ୍କଟ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି। ଗତ ବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ବେଶୀ ସଫଳତା ମିଳିଛି। ସମ୍ବଲପୁରରେ IIM ପ୍ରତିଷ୍ଠା ଦ୍ୱାରା ଶିକ୍ଷାର ହବ୍ ହେବାକୁ ଯାଉଛି। ଏହାଦ୍ୱାରା ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପାଦ ମଧ୍ୟରେ ବ୍ରିଜ ତିଆରି କରିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଟେକ୍ନୋଲୋଜି ଆଜି ସବୁ ଭୌଗଳିକ ସମସ୍ୟାକୁ ଦୂର କରିପାରିଛି। ବିକାଶ ପାଇଁ ସର୍ଟ ଟର୍ମ ବଦଳରେ ଲଙ୍ଗ ଟର୍ମ ପଲିସି ଦରକାର।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବଲପୁରବାସୀଙ୍କୁ ଲୋକାଲକୁ ଭୋକାଲ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ବଲପୁରୀ ଟେକ୍ସଟାଇଲର ସାରା ବିଶ୍ୱରେ ଚାହିଦା ରହିଛି। ସମ୍ବଲପୁରରେ ସବୁକିଛି ଭରପୂର। ପର୍ଯ୍ୟଟନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ।

ସମ୍ବଲପୁରରେ IIM ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ଦେଇ କହିଥିଲେ, ଓଡିଶାକୁ ଶିକ୍ଷାର ହବ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହ ଓଡିଶାରେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

୪୦୧ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଉପକଣ୍ଠ ବସନ୍ତପୁରରେ IIMର ଏହି କ୍ୟାମ୍ପସ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ଯୋଗାଇ ଦେଇଛନ୍ତି। ୨୦୨୨ ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଶିଳାନ୍ୟାସ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ। ସଫଳ ଉଜ୍ଜ୍ୱଳା ଯୋଜନା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଲକ୍ଷ୍ୟ ପୂରଣ ହୋଇପାରିଛି। ୨୦୧୪ ସୁଦ୍ଧା କେବଳ ୫୫% ଲୋକଙ୍କର ଗ୍ୟାସ୍ ସଂଯୋଗ ଥିଲା।
ବର୍ତ୍ତମାନ ଦେଶରେ ୯୮% ଲୋକଙ୍କ ପାଖରେ ଗ୍ୟାସ୍ ସଂଯୋଗ ରହିଛି। ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ୍‌ ସଂଯୋଗ ଥିଲା। ବର୍ତ୍ତମାନ ୨୮ କୋଟିି ଉପଭୋକ୍ତାଙ୍କ ପାଖରେ ଗ୍ୟାସ୍‌ ସଂଯୋଗ ରହିଛି। ୬୦ ବର୍ଷରେ କେବଳ ୧୪ କୋଟି ଗ୍ୟାସ୍‌ ସଂଯୋଗ ହୋଇଥିଲା। ଯଦି ପୂର୍ବ ଧାରାରେ ଚାଲିଥାନ୍ତା ତାହେଲେ ଶତାବ୍ଦୀ ସରିଯାଇ ଥାନ୍ତା।

You might also like