୧୪.୫ ହଜାର କୋଟିର କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୋଦି

ଭୁବନେଶ୍ୱର: ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ୧୪ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିସହିତ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ସ୍ଥାପନା କରିଛନ୍ତି।

ସୋମବାର ଅପରାହ୍ନ ଗୋଟାଏ ୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି। ସେଠାରୁ ହେଲିକପ୍ଟର୍ ଯୋଗେ ସେ ସିଧାସଳଖ ଆଇଆଇଟି ଭୁବନେଶ୍ୱର ଯାଇଥିଲେ। ୧ ହଜାର ୧୨୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଟି ଭୁବନେଶ୍ୱରକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଆୟୋଜିତ ଉତ୍ସବରେ ସେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଥିଲେ। ଏଥିରେ ରହିଛି ୪ ହଜାର ୩୬୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା NH-16 ର ଚଣ୍ଡିଖୋଲ-ଭଦ୍ରକ ସେକ୍ସନର ୬ ଲେନ୍ କରଣ, କଟକ-ଅନୁଗୁଳ ସେକ୍ସନର ୪ ଲେନ୍‌କରଣ, ଟାଙ୍ଗି-ପୁଇଁତଳା ସେକ୍ସନ୍‌ର ପ୍ରଶସ୍ତୀକରଣ ଓ ଖଣ୍ଡିଗିରି ଫ୍ଲାଏ ଓଭର।

ଭୁବନେଶ୍ୱରରେ ଥିବା ଇ.ଏସ୍.ଆଇ. ହସ୍ପିଟାଲର ଆଉ ୫୦ ଶଯ୍ୟା ଏବଂ ଲଳିତଗିରି ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟକୁ ବି ମୋଦି ଲୋକାର୍ପଣ କରିଛନ୍ତି। ବ୍ରହ୍ମପୁରରେ ନିର୍ମାଣ ହେବାକୁ ଥିବା ପ୍ରାୟ ୧୬ ଶହ କୋଟି ଟଙ୍କାର ଆଇଜର ଏବଂ ପାରାଦୀପ-ହାଇଦ୍ରାବାଦ୍ ଓ ବୋକାରୋ -ଅନୁଗୁଳ ତୈଳ ପାଇପଲାଇନର ଶିଳାନ୍ୟାସ କରିଛନ୍ତି। ଏହାସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ବି ସ୍ଥାପନା କରିଛନ୍ତି।

ବରୁଣେଇରେ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ରାଜ୍ୟ ସହଯୋଗ କରିବା ସହ ମାଗଣାରେ ଜମି ଯୋଗାଇ ଦେବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାସହ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ନବୀନ ଦାବି ଦୋହରାଇଥିଲେ।

You might also like