ଆୟୁଷ୍ମାନ ଭାରତ ଦଶା ଭୋଗିବ କି ପିଏମ୍-କିଷାନ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପିଏମ୍-କିଷାନ ଯୋଜନା କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ‘କାଳିଆ’ ଯୋଜନା ପାଇଁ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, ପିଏମ୍ କିଷାନ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟ କୃଷି ସଚିବ କହିଛନ୍ତି, “ଓଡିଶା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଏପର୍ଯ୍ୟନ୍ତ ମିଳିନାହିଁ।

ସେପଟେ ‘କାଳିଆ’ ଯୋଜନା ଭଳି ପିଏମ୍-କିଷାନରେ ଭାଗଚାଷୀ ଓ ଭୂମିହୀନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜନୀତି ତେଜିବାରେ ଲଶଗିଛି। ଯୋଜନା ଅଟକାଇବାକୁ ଏହା ସରକାରଙ୍କ ପେଞ୍ଚ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ୍ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସମାଲୋଚନା କରିଛି।

ଏବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ କ’ଣ ହେବ ପିଏମ୍-କିଷାନ ଯୋଜନାର ଭାଗ୍ୟ ? ଏହା କାର୍ଯ୍ୟକାରୀ ହେଲେ କେତେ ଚାଷୀ ଉପକୃତ ହେବେ ? ଆୟୁଷ୍ମାନ ଭାରତ ଭଳି ପିଏମ୍ କିଷାନର ବି ସମଦଶା ହେବ ନାହିଁ ତ ?

ଏପରି ପ୍ରଶ୍ନ ଉଠିବାର କାରଣ ମଧ୍ୟ ରହିଛି। ନିଜସ୍ଵ କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, ପିଏମ୍ କିଷାନ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ଏହା ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍-କିଷାନ ସଂପର୍କରେ ଗାଇଡାଲାଇନ୍ ରାଜ୍ୟକୁ ଦିଆଯାଇଛି। ରାଜ୍ୟ ସରକାର ବି ଏଦିଗରେ ସକାରାତ୍ମକ ଅଛନ୍ତି ବୋଲି ଦାବି କରୁଛନ୍ତି। ହେଲେ କାର୍ଯ୍ୟରେ ତାହା ପ୍ରତିଫଳିତ ହେଉନାହିଁ।

ଏପଟେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି, “ଓଡ଼ିଶା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ମିଳିନାହିଁ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।”’

କୃଷି ପରିସଂଖ୍ୟାନ ୨୦୧୫-୧୬ ଅନୁସାରେ ଦେଶରେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୧୨ କୋଟି ୫୬ ଲକ୍ଷ ୩୫ ହଜାର। ଏହି ହିସାବକୁ ନେଇ ପିଏମ୍-କିଷାନ ଯୋଜନା କରାଯାଇଥିବା କୁହଯାଉଛି। ଏହି ଅନୁସାରେ ଓଡ଼ିଶାରେ ଯୋଜନା ଲାଗୁ କରାଗଲେ ପ୍ରାୟ ୪୫ ଲକ୍ଷ ୨୪ ହଜାର ନାମମାତ୍ର ଓ କ୍ଷୁଦ୍ର ଚାଷୀ ୩ଟି କିସ୍ତିରେ ୬ ହଜାର ଟଙ୍କା ପାଇବେ।

ସେପଟେ ଭାଗଚାଷୀ ଓ ଭୂମିହୀନଙ୍କୁ ପିଏମ୍-କିଷାନରେ ସାମିଲ କରିବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନନ୍ଦନ କହିଛନ୍ତି, “ଏଥିରୁ ଓଡ଼ିଶାର ଚାଷୀ ଲାଭ ପାଇଥାନ୍ତେ। ଏହାକୁ ଅଟକାଇବାକୁ ପେଞ୍ଚ କାଢ଼ିଛନ୍ତି। ଯୋଜନା ରାଜ୍ୟରେ କେମିତି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ସେଥିରେ ସହଯୋଗ ନକରି ଯେଉଁପରି ଭାବେ ଡ୍ରାମା କରୁଛନ୍ତି, ତାହା ନବୀନ ବାବୁଙ୍କ ସରକାରର ମୁଖା ଖୋଲି ଦେଇଛି। ଏ ସରକାର କୃଷକ ବିରୋଧୀ ସରକାର ପ୍ରମାଣିତ କରୁଛି।”

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “୨୫ ତାରିଖ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସେମାନେ କହିଛନ୍ତି। ସେହି ତାରିଖ ସୁଦ୍ଧା ଆମ ପାଖରେ ଯେଉଁ ତଥ୍ୟ ଅଛି, ତାକୁ କାର୍ଯ୍ୟକାରୀ କରିବାରେ କିଛି ଅସୁବିଧା ନାହିଁ। ଓଡ଼ିଶାରେ ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଦିଆଯାଉଛି। କେନ୍ଦ୍ର ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରନ୍ତୁ। ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଉପକୃତ ହେବେ।”

କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, “ଉଭୟ ଏକା ପ୍ରକାର ଟଙ୍କା ଦେଉଛନ୍ତି। ଏହି ଟଙ୍କାରେ କୃଷିର ଉନ୍ନତି ଘଟିବ ନାହିଁ। କୃଷିକୁ ନୁହେଁ, କୃଷକକୁ ପ୍ରଭାବିତ କରିବାକୁ ଏଡା ଏକ ବଣ୍ଟନ ପ୍ରକ୍ରିୟା।”

ଗୋଟିଏ ପଟେ ‘ପିଏମ୍ କିଷାନ’କୁ କାର୍ଯ୍ୟକାରୀ କରାଯିବା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସହାୟତା ପ୍ରଦାନ କରିବେ। ୧୫ ତାରିଖରେ କେନ୍ଦ୍ରାପଡ଼ାରେ ପ୍ରାୟ ସାଢ଼େ ୪ଲକ୍ଷ ଭୂମିହୀନ ଚାଷୀ ଓ ୨୧ ତାରିଖରେ ବରଗଡ଼ରେ ୧୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଦେବା ପାଇଁ ବ୍ୟବସ୍ଥା କରାଯାଉଛି।

You might also like