ଘର ନାଁରେ ଘୋଟାଲା, ନିରୀହଙ୍କୁ ମୋହରା ବନେଇ ଚଳୁ ହେଉଛି ଟଙ୍କା
କଳାହାଣ୍ଡି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାକେଳେଙ୍କାରୀ ସାମ୍ନାକୁ ଆଇଛି। କେଉଁଠି ମଲା ଲୋକ ନାଁରେ ମିଥ୍ୟା ବିଲ୍ କରି ଟଙ୍କା ଚଳୁ ତ ଆଉ କେଉଁଠି ଘର ଖଣ୍ଡିଏ ପାଇଁ ବାସହୀନଙ୍କୁ ନାକେଦମ୍ ହେବାକୁ ପଡୁଛିା ଖାଲି ସେତିକି ନୁହେଁ, କଳାହାଣ୍ଡିରେ ଘର ଖଣ୍ଡିଏ ପାଇଁ ମହିଳା ହିତାଧିକାରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଜଣେ ସରପଞ୍ଚଙ୍କୁ ଗିରଫ କରିଛି ପୋଲିସ୍। ଏଭଳି ଅଭିଯୋଗ ପରେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଯୋଜନା କାର୍ଯ୍ୟକାରିତାରେ ରାଜ୍ୟ ସରକାର କେତେ ସଫଳ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ବୌଦ୍ଧ ସଦର ବ୍ଲକ୍ ମୁଣ୍ଡାପଡ଼ା ପଂଚାୟତ ବଡମାଲର ସ୍ୱର୍ଗତ କାର୍ତ୍ତିକ ନାୟକଙ୍କ ଝିଅ ମଞ୍ଜୁଙ୍କ ଘର ଟଙ୍କା ଲୁଟ୍ ହୋଇଛି। ମଞ୍ଜୁଙ୍କ ବାପା ଆରପାରିକୁ ଚାଲିଗଲେଣି। କିନ୍ତୁ ବାପାଙ୍କ ନାଁରେ ଆସିଥିବା ପିଏମ୍ ଆଓ୍ୱାସ ଟଙ୍କାର ହରଣଚାଲ୍ ହୋଇଛି। ଚଳୁ କରିଦିଆଯାଇଛି ୯୦ ହଜାର ଟଙ୍କା। ମଞ୍ଜୁଙ୍କ ବାପା ୨୦୧୯, ଅକ୍ଟୋବର ୨୯ରୁ ପ୍ରାଣ ହରାଇଲେଣି। ହେଲେ ୨୦୧୯ ନଭେମ୍ବର ୩ରେ ୨୦ ହଜାର, ଗତ ଜୁଲାଇ ୧୩ରେ ୩୦ ହଜାର ଏବଂ ଜୁଲାଇ ୨୦ରେ ୪୦ ହଜାର ଡିପୋଜିଟ୍ ହୋଇଛି।
ଆଉ ତାପରେ ଉଠାଇ ନିଆଯାଇଛି ସମସ୍ତ ୯୦ ହଜାର ଟଙ୍କା ତେବେ ଘର ନିର୍ମାଣ ନହୋଇ କେମିତି ହେଲା ବିଲ୍? ମଲା ଲୋକ ନାଁରେ ଏଭଳି ଟଙ୍କା ଆତ୍ମସାତ ପଛର ମାଷ୍ଟର ମାଇଣ୍ଡ କିଏ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ବୌଦ୍ଧ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି କାର୍ତ୍ତିକଙ୍କ ଝିଅ ମଞ୍ଜୁ।
ସେହିପରି ମୁଣ୍ଡାପଡ଼ାର ଦ୍ରୌପଦୀ ନାୟକାଙ୍କ ଘଟଣା ବି ଠିକ୍ ସେମିତି। ବଡ଼ କଷ୍ଟରେ ସେ ପିଏମ୍ ଆବାସ ଯୋଜନାର ହିତାଧିକାରୀ ହେଲେ। କିନ୍ତୁ ତାଙ୍କୁ ବି ଘର ତିଆରି ବାବଦକୁ ମାତ୍ର ଗୋଟିଏ କିସ୍ତି ଟଙ୍କା ମିଳିବା ପରେ ଆଉ ଟଙ୍କାଟିଏ ମିଳିନି। କେତେ ଗୁହାରୀ କଲେ ବି କେହି ନଶୁଣିବାରୁ ଦୟନୀୟ ଅବସ୍ଥାରେ ନଡ଼ା ଛପର ଘରେ ଜୀବନ ଜୀଉଁଛନ୍ତି ଦ୍ରୌପଦୀ।
ଆଉ ଜଣେ ହେଲେ ଦେବସନ ସାହୁ। ତାଙ୍କ ବୟସ ବି ୬୦ରେ ପହଞ୍ଚିଲାଣି। ଘର ଖଣ୍ଡେ ପାଇଁ କେତେ ନେହୁରା ହେଲେ ବି କେହି ତାଙ୍କ ଆବେଦନକୁ ଗ୍ରହଣ କରୁନାହାଁନ୍ତି। ଫଳରେ ଭଙ୍ଗା କୁଡ଼ିଆ ଘରେ କଟୁଛି ଦେବସନଙ୍କ ଜୀବନ। ବୌଦ୍ଧ ଜିଲ୍ଲାପାଳ ସମସ୍ତ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ପିଡି ଡିଆର୍ଡିଏ ତଦନ୍ତ କରି ପଦକ୍ଷେପ ନେବେ।
ବାସଘରର ସ୍ୱପ୍ନ ଦେଖାଇ ଗରିବଙ୍କୁ ଏଭଳି ପ୍ରତାରଣା ମିଳୁଛି। କେଉଁଠି ଲାଞ୍ଚ ନଦେଲେ ମିଳୁନି ଘର ତ ଆଉ କେଉଁଠି ଦେହଭୋଗର ସୁଖ ଖୋଜୁଛନ୍ତି ବାବୁ ଭାୟା। ଶାରୀରିକ ସଂପର୍କ ରଖିଲେ ସରକାରୀ ଘର ମିଳିବ ବୋଲି ପ୍ରଲୋଭନ ଦେଖାଇଥିବା କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ସାହୁ ଏବେ ଚର୍ଚ୍ଚାରେ। ମଦନପୁର ରାମପୁର ଥାନାରେ ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ କରିଛି। ତାସହ ଥାନାରେ ପଶି ପୀଡ଼ିତାଙ୍କୁ ଆକ୍ରମଣ ଅଭିଯୋଗର ତଦନ୍ତ କରୁଛି ପୋଲିସ।
ସେପଟେ ପିଏମ୍ ଆବାସ ନାଁରେ ଏଭଳି ଘୋଟାଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଏଭଳି ଅପକର୍ମ କରୁଥିବା ଲୋକଙ୍କୁ ସରକାର ଘଣ୍ଟ ନଘୋଡ଼ାନ୍ତୁ। ଏହାର ଉତ୍ତର ରଖି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଶାସକ ଦଳ କିମ୍ବା ତାର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘଟଣାକୁ ଘଣ୍ଟ ଘୋଡ଼ାନ୍ତି ନାହିଁ। ଘଟଣା ପ୍ରମାଣିତ ହେଲେ ଦୋଷୀ ଦଣ୍ଡ ପାଇବ ବୋଲି ଦେବୀ ମିଶ୍ର କହିଛନ୍ତି।