ଜୀବନ ଜୀବିକାରେ ବନ୍ଧ: ମହାନଦୀର ଶାଖାନଦୀ ଶୁକପାଇକା ସତ୍ତା ହରାଇବା ପରେ ବଢିଛି ଅଞ୍ଚଳବାସୀଙ୍କ ଦୁଃଖ

କଟକ ଜିଲ୍ଲାର ୩ ବ୍ଲକର ୨୬ ପଞ୍ଚାୟତବାସୀଙ୍କ ବଢିଛି ଦୁର୍ଦ୍ଦଶା, ନଦୀର ପୁନରୁଦ୍ଧାର ପାଇଁ ଦାବି 

କଟକ(ପ୍ରଭାତ ବିଶୋଇ ଓ ସୌମ୍ୟ ରଞ୍ଜନ ସାହୁ) : ସରକାରଙ୍କ ନିଷ୍ପତ୍ତି ଜୀବନ ବଞ୍ଚାଇ ଦେଲା, ହେଲେ ଜୀବିକା ଛଡାଇ ନେଲା । କୌଳିକ ବୃତ୍ତି  ହରାଇ ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଅଞ୍ଚଳବାସୀ । କଟକ ସଦର ନିର୍ବାଚନ ମଣ୍ଡଳୀ କନ୍ଦରପୁର, ଆୟତପୁରଠାରୁ ବାଙ୍କଳ ପର୍ଯ୍ୟନ୍ତ ମହାନଦୀର ଶାଖାନଦୀ ଶୁକପାଇକା ଅବବାହିକାରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ବଢ଼ିଯାଇଛି । ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ଶୁକପାଇକା ଉତ୍ପତିସ୍ଥଳରେ ୧୯୫୨ରେ ବନ୍ଧ ବାନ୍ଧିଲେ ସରକାର । ଫଳରେ ସେହି ଆଖପାଖ ଅଞ୍ଚଳବାସୀଙ୍କ ଜୀବନରେଖା ସାଜିଥିବା ଶୁକପାଇକା ହରାଇଲା ସତ୍ତା ।

କଟକ ସଦର, ନିଶ୍ଚିନ୍ତ କୋଇଲି ଏବଂ କନ୍ଦରପୁର ୩ଟି ବ୍ଲକର ୨୬ଟି ପଞ୍ଚାୟତର ୪୨୫ଗାଁରେ ରହୁଥିବା ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ସମସ୍ୟା ହୋଇ ଛିଡା ହେଲା । ଏହି ବନ୍ଧ ସ୍ଥାନୀୟ ଲୋକେ ମୁଖ୍ୟତଃ ଚାଷ ଏବଂ ମାଛ ବ୍ୟବସାୟ ଉପରେ ନିର୍ଭର କରନ୍ତି । ହେଲେ ନଦୀ ପାଇଁ ଜୀବିକା ହରାଇଲେ ସ୍ଥାନୀୟ ବାସିନ୍ଦା ତାସହ ଚାଷୀଙ୍କ ପାଇଁ ମଧ୍ୟ ଏକ ସମସ୍ୟା ହୋଇଛି ।

ବନ୍ୟାଜଳ ନିୟନ୍ତ୍ରଣ ପାଇଁ ମହାନଦୀର ଶାଖାନଦୀ ଶୁକପାଇକା ଉତ୍ପତ୍ତିସ୍ଥଳରେ କରାଯାଇଛି ଏକ ବନ୍ଧ ।  ହେଲେ ଏହି ବନ୍ଧ କଟକ ସଦର ଆୟତପୁରଠାରୁ ବାଙ୍କଳ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ଜୀବିକାରେ ଏକପ୍ରକାର ବନ୍ଧ ବାନ୍ଧି ଦେଇଛି । ବନ୍ୟା ସମସ୍ୟାର ସିନା ସମାଧାନ ହେଲା କିନ୍ତୁ ନଦୀ ଅବବାହିକା ଅଞ୍ଚଳବାସୀଙ୍କ ପାଇଁ ଛିଡା କଲା ଅନେକ ସମସ୍ୟା । ଶୁକପାଇକା ଉପରେ ନିର୍ଭର କରୁଥିବା  ଅଞ୍ଚଳବାସୀ ହରାଇଲେ ଜୀବିକା । ତେଣୁ ଦୀର୍ଘ ଦିନ ହେବ ଶୁକପାଇକା ବଞ୍ଚାଅ ଅଭିଯାନ ଦ୍ୱାରା ନଦୀର ପୁନଃରୁଦ୍ଧାର ପାଇଁ ଲଢେଇ ହୋଇଆସୁଛି । ହେଲେ ସରକାର ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ଉଠିଛି ।

ଅନେକ ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନି । ଫଳରେ ଏପ୍ରିଲ ୨୨ରେ ଲୋକେ ଚୂଲା ବନ୍ଦ ଆନ୍ଦୋଳନ କରିବା ସହ ମହାନଦୀରୁ ଜଳ ଆଣି ଶୁକପାଇକାରେ ଢାଳିବେ ବୋଲି ଚେତାନବୀ ଦେଇଛନ୍ତି । ସେହିପରି ଆସନ୍ତା ଜୁନରେ ତହସିଲ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି କହିଛନ୍ତି । ଏପଟେ ସରକାରଙ୍କ ପକ୍ଷରୁ ଏନେଇ କିଛି ରିପୋର୍ଟ ମଗାଯାଇନି, ନିର୍ଦ୍ଦେଶ ଆସିଲେ ଏନେଇ ରିପୋର୍ଟ ଦେବୁ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଶୁକପାଇକାର ପୁନଃରୁଦ୍ଧାର କେବେ ହେଉଛି, ତାକୁ ହିଁ ଅପେକ୍ଷା ।

 

You might also like