ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଭାରରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଗଲା

କୋରାପୁଟ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ବୁହା ହୋଇ ନଦୀ ପାର୍‌ କରାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ କାରିକୋନ୍‌ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତକାଲି କାରିକୋନ୍‌ ଗାଁ ସୁବାଇ ନିରିକିୟାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଘର ଯାଏ ପହଞ୍ଚି ପାରିନଥିଲା। ଫଳରେ ସମ୍ପର୍କୀୟମାନେ କାନ୍ଧରେ ୨ କିଲୋମିଟର ରାସ୍ତା ବୋହିବା ପରେ ଗର୍ଭବତୀଙ୍କୁ ନଦୀ ପାର୍‌ କରାଇଥିଲେ।

ସେଠାରୁ ଆମ୍ବୁଲାନ୍ସ ଯୋଗେ  ଗର୍ଭବତୀଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କାରିକୋନ୍ ଗାଁ ମେଡ଼ିକାଲ୍‌ଠୁ ମାତ୍ର ୩ କିଲୋମିଟର ଦୂରରେ ଥିଲେ ମଧ୍ୟ ଗାଁକୁ ରାସ୍ତା ନ ଥିବାରୁ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ, ନାରାୟଣପାଟଣା ସିଏଚ୍‌ସିର ମେଡ଼ିକାଲ୍‌ ଅଫିସର ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିଥିବା ସେ କହିଛନ୍ତି। ଏବେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ମେଡ଼ିକାଲ ଅଫିସର କହିଛନ୍ତି।

 

You might also like