ପ୍ଲାଜମା ଥେରାପି ଉଦ୍‌ଘାଟିତ: ମୁଖ୍ୟମନ୍ତ୍ରୀ କହିଲେ ମାଗଣାରେ ମିଳିବ ସେବା

ଭୁବନେଶ୍ୱର: ରାଜ୍ୟରେ ଉଦ୍‌ଘାଟନ ହେଲା ପ୍ଲାଜମା ଥେରାପି। କଟକ SCB ମେଡିକାଲରେ ପ୍ଲାଜମା ଥେରାପି ଉଦ୍‌ଘାଟନ ହୋଇଛି। ଭିଡିଓ କନଫରେନ୍ସିଂରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିଛନ୍ତି, କରୋନା ବିରୋଧୀ ଆମ ଲଢ଼େଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ। ଓଡ଼ିଶାର କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେ ନାହିଁ।

ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥସହିତ ସବୁ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ସେ ଲୋକମାନଙ୍କୁ ଅପିଲ୍ କରିଛନ୍ତି।

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ଥେରାପି ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ କରାଯାଉଛି। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବାବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ। ରାଜ୍ୟରେ ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ଏହି ୫ଟି ଜିଲ୍ଲା ହେଉଛି ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା।

You might also like