ମୃତକଙ୍କ ପରିବାରକୁ ମିଳିବ ଚାକିରି
ରାଉଲକଲା: ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା। ନିଲମ୍ବିତ ହେଲେ ଆର୍ଏସ୍ପିର ୨ ଡିଜିଏମ୍। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇ ୪ ମୃତ ଘଟଣାରେ ୨ ଜଣ ଡିଜିଏମ୍ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ CEO। କୋଲ୍ କେମିକାଲ ଡିପାର୍ଟମେଣ୍ଟର DGM ଏନ୍. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ DGM ଜି. ବାରିକଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରିଛନ୍ତି RSP କର୍ତ୍ତୃପକ୍ଷ।
ଏହାସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ମୃତକଙ୍କ ପରିବାର ପିଛା ୨ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି। କାମ କରାଉଥଥିବା ଠିକା ସଂସ୍ଥା ଅଢେଇ ଲକ୍ଷ ଦେବାକୁ RSP ନିର୍ଦ୍ଦେଶ ଦେଇଛି। ଠିକା ଓ ସ୍ଥାୟୀ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ସହ ଦୁର୍ଘଟଣା ଏଡାଇବାକୁ RSP ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏ ନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଞ୍ଚାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ରେ ବିଷାକ୍ତ ଗ୍ୟାସ ପ୍ରଭାବରେ ୧୦ ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣଙ୍କର ମୃତ୍ୟୁ ଘଟିଥିଲ। ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏମାନେ ହେଲେ ଗଣେଷ ଚନ୍ଦ୍ର ପହିଲ୍ (୫୫), ରବିନ୍ଦ୍ର ସାହୁ (୫୯), ଅଭିମନ୍ୟୁ ଶାହ(୩୩) ଏବଂ ଅନ୍ୟ ଜଣେ ହେଲେ ବ୍ରହ୍ମାନନ୍ଦ ପଣ୍ଡା (୫୧)।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇ ୪ ମୃତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୃତକଙ୍କ ପରିବାରକୁ ସମବେଦନା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Deeply saddened to know about the tragic loss of lives in the gas leak incident at Rourkela Steel Plant. My thoughts and prayers are with bereaved families in the hour of grief and pray for the speedy recovery of those who are hospitalised.
— Naveen Patnaik (@Naveen_Odisha) January 6, 2021
ରାଉରକେଲା ଇସ୍ପାତ୍ କାରଖାନାରେ ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) January 6, 2021
ଆଜି ସକାଳୁ ସକାଳୁ ରାଉରକେଲା ଷ୍ଟିଲପ୍ଲାଣ୍ଟର କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ହୋଇଥିଲା। ପ୍ରଥମେ ୧୦ କର୍ମଚାରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ IGHରେ ଭର୍ତ୍ତି କରାଯାଇଥିଲା।
ତେବେ କେଉଁ କାରଣରୁ ଗ୍ୟାସ ଲିକ୍ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ୍ ହୋଇଥିଲା ଯେଉଁଠି ପ୍ଲାଣ୍ଟର ଅନେକ କର୍ମଚାରୀ କାମ କରୁଥିଲେ। ଏହି ଖବରକୁ ନେଇ ପ୍ଲାଣ୍ଟ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଛନ୍ତି।