ପିପିଲି ଦୁଷ୍କର୍ମ ମାମଲା : ମହାରଥୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଭୁବନେଶ୍ୱର : ପିପିଲି ପୀଡିତାଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ପୀଡ଼ିତାଙ୍କୁ ନ୍ୟାୟର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ପୀଡ଼ିତା ତ ବଞ୍ଚିଲେନି, ତାଙ୍କ ମୃତ୍ୟୁର ସାଢ଼େ ୬ ବର୍ଷ ପରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଗଲେ ଦୋଷୀ।   ଆଉ କୋର୍ଟଙ୍କ ରାୟ ଆସୁ ଆସୁ କଟା ଘା’ରେ ଯେମିତି ଲୁଣ ଛିଞ୍ଚିଦେଲେ ମନ୍ତ୍ରୀ ମହାରଥୀ।

ମହାରଥୀଙ୍କ ଏଭଳି ମନ୍ତବ୍ୟର ପ୍ରତିବାଦରେ ବିରୋଧୀ ରାସ୍ତାକୁ ଓହ୍ଲାଇଲେ। ଇସ୍ତଫା ଦାବିରେ ଗର୍ଜିଲେ। ଚାପ ବଢ଼ିବାରୁ ନିର୍ବାଚନୀ ବର୍ଷରେ ଅକଳରେ ପଡ଼ିଗଲେ ସରକାର। କୁହାଯାଉଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଡ୍ୟାମେଜ୍ କଣ୍ଟ୍ରୋଲ୍ ମୋଡ୍‌କୁ ଯାଇ ନିଜ ଷ୍ଟାଇଲ୍‌ରେ ଦୁଃଖପ୍ରକାଶ କଲେ ମହାରଥୀ।

ହେଲେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କିନ୍ତୁ ନଛୋଡ଼ବନ୍ଦା ବିରୋଧୀ। ମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନାକୁ ପ୍ରାୟୋଜିତ ବୋଲି କହି ଜୟପୁରରେ ଆଜି କଂଗ୍ରେସ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରିଛି। ଚେତାଇ ଦେଇଛି ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଓ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦିଆଯିବ। ବିଜେପି ମଧ୍ୟ ଆଗକୁ ଏହାକୁ ମୁଦ୍ଦା କରିବ ବୋଲି କହିଛି। ହେଲେ ବିଜେଡି କହିଛି ମହାରଥୀ କ୍ଷମା ମାଗିବା ପରେ ଆଉ ବିବାଦ କରିବା ଅନୁଚିତ।

ଏପଟେ ଏତେବଡ଼ ସମ୍ବେଦନଶୀଳ ଘଟଣାରେ ଦୋଷୀ ବିରୋଧରେ ତଥ୍ୟ ପ୍ରମାଣ ଯୋଗାଡ଼ରେ ବିଫଳତା ପାଇଁ କାଠଗଡ଼ାରେ କ୍ରାଇମ୍‌ବ୍ରାଞ୍ଚ। ଭୁବନେଶ୍ୱର ପ୍ରଥମ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ଖୋଦ୍ କ୍ରାଇମ୍‌ବ୍ରାଞ୍ଚ ଏଡିଜି କହିଛନ୍ତି। ତେବେ ଏଠି ପ୍ରଶ୍ନ, ତଳ କୋର୍ଟକୁ ତଥ୍ୟ ପ୍ରମାଣ ଦେଇ ପାରିନଥିବା କ୍ରାଇମ୍‌ବ୍ରାଞ୍ଚ, ଉପରକୋର୍ଟରେ କେମିତି ଏବଂ କେଉଁଠୁ ଯୋଗାଡ଼ କରିବେ ପ୍ରମାଣ ?

ମହାରଥୀ ଓ ବିବାଦ ନୂଆ ନୁହେଁ। ଅତୀତରେ ଏଥିପାଇଁ ଅନେକବାର ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ମନ୍ତ୍ରୀପଦ ବି ହରାଇଛନ୍ତି ମହାରଥୀ। ହେଲେ କିଛି ଦିନ ତଳେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ହେଉ କି ଏବେକାର ଏ ସ୍ପର୍ଶକାତର ମନ୍ତବ୍ୟ, କାର୍ଯ୍ୟାନୁଷ୍ଠାନ ନେବା କାହିଁକି ଏବେ ସୁଦୂର ବ୍ୟାପାର ପାଲଟିଯାଇଛି, ତାହା ଏବେ ବଡ଼ ପ୍ରଶ୍ନ।

You might also like