ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବଢୁଛି ପିପିଲିରେ ପଲିଟିକ୍ସର ପାରା, ସେପଟେ ପୁତୁରା ଟିକଟ୍ ପାଇଁ ଦାଦାଙ୍କ ଲବି

ପୁତୁରା ଟିକଟ୍ ପାଇଁ ଦାଦାଙ୍କ ଲବି

  • ପୁତୁରା ଟିକଟ୍ ପାଇଁ ଦାଦାଙ୍କ ଲବି
  • ବଢୁଛି ପିପିଲିରେ ପଲିଟିକ୍ସର ପାରା
  • ପ୍ରାର୍ଥୀ ଚୟନ ଓ ରଣନୀତି ପ୍ରସ୍ତୁତିରେ ୩ ଦଳ
  • ପୁତୁରାକୁ ବିଜେଡି ଟିକଟ୍ ସପକ୍ଷରେ ମହାରଥୀଙ୍କ ଭାଇ
  • କୋଭିଡ୍ କଟକଣାରେ ଭୋଟ ହେବ-ମୁଖ୍ୟ ନିର୍ବାଚନ ଅଧିକାରୀ

ପିପିଲି: ଉପନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପିପିଲିରେ ସରଗରମ ରାଜନୈତିକ ପାଣିପାଗ। ଆକ୍ସନ ମୋଡରେ ୩ ପ୍ରମୁଖ ଦଳ। କର୍ମୀ ଓ ସମର୍ଥକଙ୍କୁ ନେଇ ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ କାର୍ଯ୍ୟକ୍ରମ। ପାର୍ଟି ଅଫିସଠୁ ପିପିଲି ଯାଏଁ ବସୁଛି ବୈଠକ ପରେ ବୈଠକ। କିଏ ହେବେ ଦଳୀୟ ପ୍ରାର୍ଥୀ ଓ କଣ ରହିବ ଦଳକୁ ଜିତାଇବାର ଫର୍ମୁଲା, ସେଥିଲାଗି ପ୍ରସ୍ତୁତ ହେଉଛି ଷ୍ଟ୍ରାଟେଜି। ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଗଡରେ ଧସେଇ ପଶିବେକି ବିରୋଧୀ? ନା ତାଙ୍କ ପରିବାରକୁ କାହାକୁ ପ୍ରାର୍ଥୀ କରି ସହାନୁଭୂତି ସାଉଣ୍ଟିବାରେ ସଫଳ ହେବ ବିଜେଡି? ଏସବୁ ଚର୍ଚ୍ଚା ଭିତରେ ପୁତୁରାକୁ ପ୍ରାର୍ଥୀ କରାଯିବା ସପକ୍ଷରେ ମତ ଦେଇଛନ୍ତି ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ। ଅନ୍ୟପକ୍ଷରେ ଘର ସଜାଡି କେମିତି କମ୍ ବ୍ୟାକ୍ କରିବ ସେନେଇ କଂଗ୍ରେସ ବି ପାଗଭିଡ଼ା ଆରମ୍ଭ କରିଛି।

ପିପିଲି ଉପ- ନିର୍ବାଚନ ପରିଚାଳନା ନେଇ ବିସ୍ତୃତ ବିବରଣୀ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବାଲେଶ୍ୱର ଓ ତିର୍ତ୍ତୋଲ ଭଳି ଏଠି କୋଭିଡ କଟକଣା ଲାଗି ରହିବ। ରାଜନୈତିକ କାର୍ଯ୍ୟକ୍ରମ କୋଭିଡ୍ ନିୟମ ଅନୁଯାୟୀ ହେବ ବୋଲି ସୂଚନା ରହିଛି। ଡୋର୍ ଟୁ ଡୋର୍ କ୍ୟାମ୍ପେନିଂରେ ୫ ଜଣ ଏବଂ ଇନ୍ଡୋର କାର୍ଯ୍ୟକ୍ରମରେ ୫୦ ପ୍ରତିଶତ ଏବଂ ଖୋଲା ଜାଗାରେ ସର୍ବାଧିକ ୫ଶହ ଲୋକ ସାମିଲ ହୋଇପାରିବେ ବୋଲି ସେ ଜଣାପଡ଼ିଛି। ସେହିପରି ପ୍ରତ୍ୟେକ ବୁଥରେ ଅତିବେଶୀରେ ହଜାରେ ଲୋକ ଭୋଟ୍ ଦେଇପାରିବେ। ସେଥିପାଇଁ ବୁଥ୍ ସଂଖ୍ୟା ବଢାଇ ୩୪୮ କରାଯାଇଛି।

ଭୋଟିଂ ବେଳେ ଥର୍ମାଲ ସ୍କ୍ରିନିଂ, ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିବ। ୮୦ ବର୍ଷରୁ ଉର୍ଦ୍ଧ୍ୱ, ଦିବ୍ୟାଙ୍ଗ ଓ କୋଭିଡ୍ ଆକ୍ରାନ୍ତ ପୋଷ୍ଟାଲ ବାଲାଟରେ ମତ ଦେଇ ପାରିବେ। ପ୍ରତି ବୁଥରେ ଜଣେ ଲେଖାଏଁ ଅଙ୍ଗନ ୱାଡି କର୍ମୀ ଓ ଆଶାକର୍ମୀ ରହିବେ ବୋଲି ଜଣାପଡିଛି।

ଉପ ନିର୍ବାଚନ ତାରିଖ ଘୋଷଣା ପରଠାରୁ ପିପିଲିରେ ରାଜନୈତିକ ଉଷ୍ଣତା ବଢିଯାଇଛି। ଆଗକୁ ଏଠାକାର ଦୃଶ୍ୟପଟ୍ଟ କଣ ରହୁଛି ଏବେ ତା ଉପରେ ନଜର ରହିଛି।

ଜଗଦୀଶ ଦାସ ଏବଂ ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ସୌମ୍ୟ ରଂଜନ ସାହୁଙ୍କ ରିପୋର୍ଟ

You might also like