ଉଠୁଛି ପଡୁଛି ପିପିଲି ରାଜନୀତି: ସରକାରଙ୍କ ଆଜିର କାର୍ଯ୍ୟକ୍ରମକୁ ବିରୋଧୀଙ୍କ ତୀବ୍ର ସମାଲୋଚନା

ଉଠୁଛି ପଡୁଛି ପିପିଲି

ପିପିଲି(ଦ୍ୱିତୀକୃଷ୍ଣ): ଏବେ ଉଠୁଛି ପଡୁଛି ପିପିଲି। ପିପିଲିବାସୀଙ୍କ ମନ ଜିଣିବା ଲାଗି ରାଜ୍ୟର ପ୍ରମୁଖ ତିନୋଟି ରାଜନୈତିକ ଦଳ ନିଜ ନିଜ ସ୍ତରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖାଯାଉଛି। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପରଲୋକ ପରେ ରାଜ୍ୟରେ ପିପିଲି ପଲିଟିକ୍ସକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା।

ଆଜି ପିପିଲିରେ ଭର୍ଚୁଆଲ ମାଧ୍ୟରେ ସମାବେଶକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲିରେ ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ମେଗା କାର୍ଯ୍ୟକ୍ରମ ରହିଥିଲା। ପ୍ରଗତି ପଥେ ପିପିଲି କାର୍ଯ୍ୟକ୍ରମରେ ପିପିଲି ବ୍ଲକ୍ ଓ ପିପିଲି ପୌରାଞ୍ଚଳ ପାଇଁ ୪୧ କୋଟି ୨୬ ଲକ୍ଷ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ମଧ୍ୟ ଜ୍ଞାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପିପିଲି ଓ ଡେଲାଙ୍ଗର ବିକାଶ ଲାଗି ମୁଁ ୭୦ କୋଟି ଟଙ୍କାର ବିଭିନ୍ନ ପ୍ରୋଜେକ୍ଟ ଘୋଷଣା କରିଛି। ଏହି ଟଙ୍କାରେ ରାସ୍ତାଘାଟଠାରୁ ଆରମ୍ଭ କରି ଜଳସେଚନ ପର୍ଯ୍ୟନ୍ତ, ଷ୍ଟାଡ଼ିୟମଠାରୁ ସେତୁ ନିର୍ମାଣ ଓ ବସଷ୍ଟାଣ୍ଡ ଆଦି ବିଭିନ୍ନ କାମ କରାଯିବ ।

ସେପଟେ ପିପିଲି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର। ସେ କହିଛନ୍ତି ପିପିଲିରେ ଆଗାମୀ ଦିନରେ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ସରକାରଙ୍କର ପୁଣି ଥରେ ଆମ ଗାଁ ଆମ ବିକାଶର କଥା ମନେ ପଡିଛି। ନିର୍ବାଚନ ନହେଲେ ଗାଁର ବିକାଶ ହେବ ନାହିଁ। ବିଜେଡ଼ି ସରକାର କେବଳ ନିର୍ବାଚନ ଜିତିବା ଲାଗି ଅନେକ କାର୍ଯ୍ୟକ୍ରମର ଆୟୋଜନ କରେ। ଲୋକଙ୍କ ପାଇଁ ଏମାନେ କାମ କରନ୍ତି ନାହିଁ,କେବଳ ନିର୍ବାଚନରେ କେମିତି ଜିତିବେ ତାହାକୁ ଦୃଷ୍ଟିରେ ରଖି କାମ କରନ୍ତି।

ଏପଟେ କଂଗ୍ରେସ ନେତା ମଧ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି। କହିଛନ୍ତି, ଲୋକଙ୍କର ବିକାଶ ହେଉ ତାହାକୁ ଆମେ ସ୍ୱାଗତ କରୁଛୁ। କିନ୍ତୁ ଆଜିର ୨ଟି କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଆମ ଗାଁ ଆମ ବିକାଶରେ ନିର୍ଧିଷ୍ଟ ଗାଁ କିମ୍ବା ପଂଚାୟତର ଲୋକ ଥାଆନ୍ତି। କିନ୍ତୁ ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲାର ବିଧାୟକ ଓ ମନ୍ତ୍ରୀ ମନିଟର କରୁଥିବା ଦେଖିବାକୁ ମିଳିଛି ବୋଲି କଂଗ୍ରେସ ନେତା ନିଶିକାନ୍ତ କହିଛନ୍ତି।

ସେପଟେ ଉପର୍ନିବାଚନ ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କିମ୍ବା ପୁଅ ରୁଦ୍ର ମହାରଥୀ ଉପସ୍ଥିତ ନଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ତଥା ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ କାହିଁକି ମହାରଥୀଙ୍କ ପୁଅ କିମ୍ବା ପତ୍ନୀ ଉପସ୍ଥିତ ରହିଲେ ନାହିଁ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା।

You might also like