ପିପିଲି ମାମଲାକୁ ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ପିପିଲି ମାମଲାରେ ସରକାରୀ ଦଳର ନେତାଙ୍କୁ ସାକ୍ଷୀ ସଜେଇ ତଦନ୍ତକୁ ବାଟବଣା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ତଥ୍ୟ ପ୍ରମାଣ ସହ ଏପରି ସାଂଘାତିକ ଅଭିଯୋଗକୁ ସାମ୍‌ନାକୁ ଆଣିଛି କଂଗ୍ରେସ। ଦଳର ମିଡିଆ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ମହାରଥୀଙ୍କ ପ୍ରମୁଖ ସମର୍ଥକଙ୍କୁ ପୁଲିସ୍ ସାକ୍ଷୀ ସଜେଇ ମାମଲାର ଦଫା ରଫା କରିଛି। କୋର୍ଟରେ ସରକାରୀ ଓକିଲ ବି ବୟାନ ବଦଳାଇଥିବା ସାକ୍ଷୀଙ୍କୁ ଜେରା କରିନଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ।

ତେବେ କଂଗ୍ରେସର ଏ ଅଭିଯୋଗ ଏବେ ମାମଲାର ତଦନ୍ତ ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଇଛି। ପିପିଲି ମାମଲାର ସାକ୍ଷୀ ଯୁଧିଷ୍ଠିର ସ୍ୱାଇଁ ଏପ୍ରିଲ୍‌ ୨୦ , ୨୦୧୨ରେ କ୍ରାଇମବ୍ରାଞ୍ଚ ଆଗରେ ଦେଇଥିବା ବୟାନ କହିଥିଲେ, ପୋପରଙ୍ଗା ଗାଁର ପ୍ରଶାନ୍ତ ପ୍ରଧାନ ପୀଡ଼ିତାକୁ ବାହା ନହେଲେ ଜୀବନରେ ମାରିଦେବାକୁ ଧମକାଉଥିଲା। ୨୦୧୧ ନଭେମ୍ବର ୨୯ରେ ସୁଯୋଗ ପାଇ ପୀଡ଼ିତାର ଓଢ଼ଣୀ ଦ୍ୱାରା ତାର ବେକକୁ ଗୁଡ଼ାଇ ଟାଣିଦେଲା। ସେ ମରିଗଲା ଭାବି ଛାଡ଼ି ଚାଲି ଆସିଲା ପ୍ରଶାନ୍ତ।

ହେଲେ ଫେବ୍ରୁଆରୀ ୨ ,୨୦୧୭ରେ କୋର୍ଟରେ କିନ୍ତୁ ବୟାନ ବଦଳାଇଦେଲେ ଯୁଧିଷ୍ଠିର। ଏଥିରେ ସେ ପୀଡ଼ିତା, ଅଭିଯୁକ୍ତ କିମ୍ବା ଘଟଣା ସଂପର୍କରେ କିଛି ଜାଣିନାହାଁନ୍ତି ବୋଲି ବି କହିଥିଲେ। ବିଜେଡି ନେତା ଯୁଧିଷ୍ଟିର ସ୍ୱାଇଁ ସେତେବେଳେ ପିପିଲି ବ୍ଲକର ଅଧ୍ୟକ୍ଷ ଥିବା ବେଳେ ଏବେ ଉପାଧ୍ୟକ୍ଷ ଅଛନ୍ତି ବୋଲି କଂଗ୍ରେସ କହିଛି। ମାମଲାର ଆଉ ଜଣେ ସାକ୍ଷୀ ଧରଣୀଧର ସାହୁ ବି କ୍ରାଇମବ୍ରାଞ୍ଚ ପାଖରେ ଦେଇଥିବା ବୟାନକୁ ପରେ କୋର୍ଟରେ ଅନୁରୁପ ଭାବେ ବଦଳାଇଥିଲେ। ତେବେ ଧରଣୀ ଧର ବି ବିଜେଡିର ସମତି ସଭ୍ୟ ଅଛନ୍ତି। ଅନ୍ୟପଟେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ଶାସକ ବିଜେଡି।

ଅଭିଯୋଗ ଅନୁସାରେ ୨୦୧୧ ନଭେମ୍ବର ୨୯ରେ ଅର୍ଜୁନଗୋଦା ଗାଁରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ପିପିଲି ପୀଡ଼ିତା। ଅଭିଯୁକ୍ତକୁ ନିଜ ଫାର୍ମ ହାଉସରେ ସୁରକ୍ଷା ଦେବା ଅଭିଯୋଗରେ ବିରୋଧୀ ଦଳ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି କଲେ। ଜାନୁଆରୀ ୧୯, ୨୦୧୨ରେ ଚାପରେ ଇସ୍ତଫା ଦେଇଥିଲେ ମହାରଥୀ। ଆଜି ପୁଣି ଇସ୍ତଫା ଦେଲେ।

ହେଲେ ଏବେ ପ୍ରଶ୍ନ, ପୁଣିଥରେ ତଦନ୍ତ ହେଲେ ପୀଡ଼ିତାକୁ ନ୍ୟାୟ ମିଳିବ ତ?
ତଥ୍ୟ ପ୍ରମାଣ ନଷ୍ଟ ହୋଇଯାଇଥିବାରୁ କାହାକୁ ଆଧାର କରି ପୁଣି ତଦନ୍ତ କରିବ ପୁଲିସ୍?  

ତଦନ୍ତରେ ଫିକ୍ସର ଅଭିଯୋଗ ଏବେ ପୂରା ମାମଲାକୁ ଗୋଳମାଳିଆ କରିଛି। ଯଦି ଅଭିଯୋଗ ସତ ହୋଇଥାଏ ଓ ପୁଲିସ୍ ମନ୍ତ୍ରୀଙ୍କ ପ୍ରଭାବରେ ବିଜେଡି ଲୋକଙ୍କୁ ସାକ୍ଷୀ ସଜେଇଥାଏ, ତେବେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ

You might also like