ହିଂସା ପରେ ତେଜୁଛି ରାଜନୀତି

ଅଶାନ୍ତ ହେଉଛି ପିପିଲି

  • ପିପିଲି ହିଂସାକୁ ନେଇ ତେଜିଲା ରାଜନୀତି
  • ପୋଲିସ୍ ଓ ସରକାରୀ କଳର ଅପବ୍ୟବହାର ଅଭିଯୋଗ ଆଣିଲା ବିଜେପି
  • ସିଇଓଙ୍କୁ ଫେରାଦ ହୋଇ କେନ୍ଦ୍ରୀୟ ଫୋର୍ସ ମୁତୟନ ଦାବି
  • ବିଜେଡି କର୍ମୀଙ୍କୁ ଆକ୍ରମଣ ନେଇ ଦଳର ପାଲଟା ଅଭିଯୋଗ
  • ଗ୍ରାଉଣ୍ଡ ଜିରୋରେ ଆଇନଶୃଙ୍ଖଳା ସ୍ଥିତି ପରଖିଲେ ଡିଜିପି

ପିପିଲି: ଭୋଟ୍ ପାଖେଇବା ସହ ପିପିଲି ଉପନିର୍ବାଚନକୁ ନେଇ ବଢୁଛି ହିଂସା ରାଜନୀତି। ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ପୋଲିସ୍ ଓ ସରକାରୀ କଳର ଅପବ୍ୟବହାର କରାଯାଉଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧୀକାରୀଙ୍କୁ ଫେରାଦ ହେବା ସହ ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ସେ ଦାବି କରିଛନ୍ତି। ସେପଟେ ପିପିଲି-ଡେଲାଙ୍ଗରେ ନିର୍ବାଚନ ହିଂସାକୁ ନେଇ ବିଜେଡି ବି ସିଇଓଙ୍କୁ ଭେଟି ପାଲଟା ବିଜେପି ଆକ୍ରମଣ କରିଥିବା ଅଭିଯୋଗ କରିଛି। ଏହାରି ଭିତରେ ଆଜି ଖୋଦ୍ ପୋଲିସ୍ ଡିଜି ପିପିଲି ଯାଇ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି।

ପିପିଲିରେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି। ବିଜେପି କର୍ମୀଙ୍କୁ ବିଜେଡିର ଆକ୍ରମଣ ଅଭିଯୋଗ ବି ହୋଇଛି। ଜେନାପୁର ବ୍ରାହ୍ମଣବାଡ଼ ଗାଁରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ହେଉ କି, ରାୟଗୁରୁପୁରଠାରେ ବିଜେପି ମହିଳା ନେତ୍ରୀଙ୍କୁ ମାଡ଼। ଏକଦମ୍ ମୁହାଁମୁହିଁ ସ୍ଥିତିରେ ବିଜେପି-ବିଜେଡି କର୍ମୀ। କ୍ୟାଂପେନ୍ ବେଳେ ବିଜେଡିର ଏଭଳି ଉଗ୍ର ଆଚରଣକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ସିଧାସଳଖ ଅଭିଯୋଗ କରିଛନ୍ତି, ପୋଲିସ୍ ଓ ଶାସନ କଳର ଅପବ୍ୟବହାର କରାଯାଇ ପିପିଲିରେ ଭୟ ଓ ଆତଙ୍କ ସୃଷ୍ଟି କରାଯାଉଛି।

ଏପରିକି କୋର୍ଟ ଦ୍ୱାରା ପଳାତକ ଘୋଷିତ ଅପରାଧୀ ବି ବିଜେଡି ପାଇଁ କାମ କରୁଥିବା ଫଟୋ ଦେଖାଇ ଅଭିଯୋଗ କରିଛନ୍ତି ସମ୍ବିତ। ସେ କହିଛନ୍ତି ଜାମିନବିହୀନ ଗିରଫ ପରଓ୍ୱାନା ଥିବା ଧୀରେନ୍ଦ୍ର ସାମନ୍ତରାୟ , ରାଜା ଓ ସଂଜୟ ସାମନ୍ତରାୟ ବିଜେଡି ମଂଚରେ ପ୍ରଚାର କରିବା ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେହିପରି ପିପିଲି CHCର ଡାକ୍ତରଙ୍କ ଫେସବୁକ୍‌ ପୋଷ୍ଟ ପ୍ରସଙ୍ଗ ଉଠାଇ ସରକାରୀ କର୍ମଚାରୀ ବି ନିର୍ବାଚନ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ବିଜେପିର ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇ ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ଦାବି କରିଛି। ସେପଟେ ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରି ସିଇଓଙ୍କୁ ଭେଟିଛନ୍ତି।

ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଆଜି ପୋଲିସ୍ ଡିଜି ଓ ଆଇନ୍ ଶୃଙ୍ଖଳା ଏଡିଜି ପିପିଲି ଯାଇ ଉପନିର୍ବାଚନରେ ଫୋର୍ସ ମୁତାୟନ ନେଇ ସମୀକ୍ଷା କରିଛନ୍ତି। ପିପିଲିରେ ଆଜି ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ଗୋଟିଏ କମ୍ପାନି ଓଡ଼ିଶା ସ୍ବିଫ୍ଟ ଆକ୍ସନ୍ ଫୋର୍ସ ସହିତ ମୋଟ୍ ୨୯ ପ୍ଲାଟୁନ OSAP, ନିର୍ବାଚନମଣ୍ଡଳିର ପ୍ରତି ଜୋନରେ ୨ଜଣ ଅତିରିକ୍ତ ଏସ୍ପି ଓ ୩ ଜଣ ଡିଏସ୍ପି ମୁତୟନ କରାଯାଇଛି। ନିର୍ବାଚନମଣ୍ଡଳୀକୁ ମଲଟି ଜୋନରେ ବିଭକ୍ତ କରାଯାଇ ନଜର ରଖାଯାଇଛି।

ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ହାତରେ ମାତ୍ର ୫ ଦିନ କିନ୍ତୁ ବିଭିନ୍ନ ସ୍ଥାନରେ ବିଜେପି-ବିଜେଡି ଟକ୍କରା-ଟକ୍କରି ସ୍ଥିତିରେ ଥିବାରୁ କିଭଳି ଶୃଙ୍ଖଳିତ ଭାବେ ଉପନିର୍ବାଚନ ହେବ ତା ଉପରେ ନଜର ରହିଛି।

ପିଲିରୁ ଦିତିକୃଷ୍ଣ ପଟ୍ଟନାୟକଙ୍କ ସହ ଭୁବନେଶ୍ୱରରୁ ଅରିନ୍ଦମ ଦାଶ ଓ ହରିହର ଚାନ୍ଦଙ୍କ ରିପୋର୍ଟ.

You might also like